Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜି ପବିତ୍ର ମାଘ ସପ୍ତମୀ ଅବସରରେ କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ର ଶ୍ରଦ୍ଧା, ଆସ୍ଥା ଓ ଆଧ୍ୟାତ୍ମିକ ଉତ୍ସାହରେ ଭରିଯାଇଥିଲା। ପ୍ରଭାତ ହେବା ପୂର୍ବରୁ ହିଁ ଦେଶର ବିଭିନ୍ନ କୋଣାରୁ ଆସିଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ସମୁଦ୍ରତଟରେ ଭିଡ଼ ଜମାଇଥିଲେ।

ସୂର୍ଯ୍ୟୋଦୟ ସହିତ ତୀର୍ଥରେ ପବିତ୍ର ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ।ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ କୋଟି ପୁଣ୍ୟ ଲାଭ ହୁଏ ଓ ସମସ୍ତ ପାପ ନାଶ ପାଏ। ଏହି ବିଶ୍ୱାସକୁ ନେଇ ଚଳିତବର୍ଷ ବାରୁଣୀ ବୁଡ଼ ପଡିଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ରେକର୍ଡ ଛୁଇଁଛି। ସୂତ୍ର ଅନୁସାରେ, ପ୍ରାୟ ୫ ଲକ୍ଷରୁ ଅଧିକ ଭକ୍ତ ଆଜି ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି।ସକାଳୁ ଶଙ୍ଖଧ୍ୱନି, ହରିନାମ ସଂକୀର୍ତ୍ତନ ଓ ଘଣ୍ଟାଧ୍ୱନିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ମାହୋଲରେ ମୁହଁରି ଉଠିଥିଲା।

ଶ୍ରଦ୍ଧାଳୁମାନେ ପରମ୍ପରାନୁସାରେ ତୀର୍ଥଜଳରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇ ମଙ୍ଗଳକାମନା କରିଥିଲେ। ଏହି ପବିତ୍ର ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଉପସ୍ଥିତ ରହି ଚନ୍ଦ୍ରଭାଗାରେ ବୁଡ଼ ପକାଇଥିଲେ ଓ ରାଜ୍ୟବାସୀଙ୍କ ସୁଖ-ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।ଭିଡ଼କୁ ନିୟନ୍ତ୍ରଣ କରିବା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଓ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା। ସମଗ୍ର ଅଞ୍ଚଳକୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଥିଲା।ମାଘ ସପ୍ତମୀର ଏହି ପବିତ୍ର ଅବସର ଚନ୍ଦ୍ରଭାଗାକୁ ପୁଣିଥରେ ଓଡ଼ିଶାର ଧାର୍ମିକ ପରମ୍ପରାର ଏକ ମହାନ୍ ସ୍ଥଳ ଭାବେ ପରିଚିତ କରାଇଦେଇଛି।

Leave a Reply

Your email address will not be published. Required fields are marked *