ନ୍ୟୁଜ ଡେକ୍ସ : ଆସନ୍ତା ୨୫ ତାରିଖରେ ପବିତ୍ର ମାଘ ସପ୍ତମୀ ବୁଡ଼ ଉପଲକ୍ଷେ ଅର୍କକ୍ଷେତ୍ର କୋଣାର୍କ ଓ ଚନ୍ଦ୍ରଭାଗା ତୀର୍ଥ ଶ୍ରଦ୍ଧାଳୁଙ୍କ ଭିଡ଼ରେ ମୁଖରିତ ହେବ। ରାଜ୍ୟ ସହ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପବିତ୍ର ସ୍ନାନ ପାଇଁ ଆସିବାକୁ ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି।ମେଳା ପଡ଼ିଆରେ ସଫେଇ କାମ, ପାଚେରିର ରଙ୍ଗରୋଗଣ, ବ୍ୟାରିକେଡ୍ ବ୍ୟବସ୍ଥା ସହ ଦୁଇଟି ୱାଚ୍ ଟାୱାର ନିର୍ମାଣ କରାଯାଉଛି।
୨୫ ତାରିଖ ପ୍ରତ୍ୟୁଷରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇବେ। ଏହା ପୂର୍ବରୁ ୨୪ ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୮ଟା ୧୦ ମିନିଟ୍ରୁ ଶ୍ରୀ ତ୍ରିବେଣୀଶ୍ୱର, ଈଶାଣେଶ୍ୱର ଓ ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ବିମାନ ବିଜେରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରିବେ। ବଜାର ପରିକ୍ରମା ପରେ ଏହି ତିନିଠାକୁର କୋଣାର୍କ ଏନ୍ଏସି ମଣ୍ଡପରେ ପୂଜାର୍ଚ୍ଚନା ସମାପ୍ତ କରି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବେ। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାହୋମ ସମ୍ପନ୍ନ ହେବା ପରେ ୨୫ ତାରିଖ ସପ୍ତମୀ ତିଥିରେ ମାହେନ୍ଦ୍ର ବେଳା ୪ଟା ୪୧ ମଧ୍ୟରେ ତିନିଠାକୁର ପବିତ୍ର ତୀର୍ଥ ଜଳରେ ସ୍ନାନ କରିବେ।ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ପାଇଁ ମେଳା ପଡ଼ିଆରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ଶୌଚାଳୟ, ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କରାଯାଇଛି।
ବେଳାଭୂମିରେ ଦୁଇଟି ଦମକଳ ଗାଡ଼ି ମୁତୟନ ରହିବା ସହ ଶନିବାର ସାରା ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୋଣାର୍କ ଓ ଚନ୍ଦ୍ରଭାଗା ଅଞ୍ଚଳରେ ୩୪ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିବେ। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପ୍ରାୟ ୩ କିମି ଦୂରରେ ବସ୍ ପାର୍କିଂ ବ୍ୟବସ୍ଥା ହୋଇଥିବାରୁ ଶ୍ରଦ୍ଧାଳୁଙ୍କୁ କିଛି ଅସୁବିଧା ହେବାର ସମ୍ଭାବନା ରହିଛି। ଏହା ସହ ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ୨୪ ତାରିଖ ଅପରାହ୍ଣ ୪ଟାରୁ ୨୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଯାନବାହନ ନିୟନ୍ତ୍ରଣ କଟକଣା ଲାଗୁ କରାଯିବ।

