Thu. Mar 5th, 2026

ନ୍ୟୁଜ ଡେକ୍ସ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ସତ୍ତ୍ୱେ ଅନେକ ପରୀକ୍ଷାର୍ଥୀ ଗୋଟିଏ ଦିନ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଆସିନାହାନ୍ତି। ଭୁବନେଶ୍ବର ସହରର ୭୬ଜଣ ଛାତ୍ରଛାତ୍ରୀ ଏବର୍ଷ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ତଥ୍ୟ ସାମ୍ନାକୁ ଆସିଛି। ୨୦୨୫ ସହ ତୁଳନା କଲେ ଏଥର ଅନୁପସ୍ଥିତି ସଂଖ୍ୟା ବୃଦ୍ଧି ପାଇଥିବାରୁ ଗଣଶିକ୍ଷା ବିଭାଗର ଚିନ୍ତା ବଢ଼ିଛି।

ଶେଷ ଦିନରେ ଖୋର୍ଦ୍ଧା ଜିଲ୍ଲାର ୧୨ଟି ନୋଡାଲ ସେଣ୍ଟରରୁ ମୋଟ ୨୬୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୭୬ଜଣ କେବଳ ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ବ୍ଲକ୍ ଅଞ୍ଚଳର ଉଚ୍ଚ ବିଦ୍ୟାଳୟର ଥିବା ବୋଲି ଜଣାପଡ଼ିଛି। ଭୁବନେଶ୍ବର ୟୁନିଟ୍-୮ ବାଳକ ଉଚ୍ଚବିଦ୍ୟାଳୟ ନୋଡାଲ ସେଣ୍ଟର ଅଧୀନରେ ୩୦ଜଣ, କ୍ୟାପିଟାଲ ହାଇସ୍କୁଲ ନୋଡାଲ ସେଣ୍ଟର ଅଧୀନରେ ୨୬ଜଣ ଏବଂ ୟୁନିଟ୍-୧ ବାଳକ ଉଚ୍ଚବିଦ୍ୟାଳୟ ନୋଡାଲ ସେଣ୍ଟର ଅଧୀନରେ ୨୦ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ତଥ୍ୟ ଅନୁସାରେ ଅଧିକାଂଶ ପରୀକ୍ଷାର୍ଥୀ ସହର ଛାଡ଼ି ଅନ୍ୟତ୍ରକୁ ଚାଲିଯାଇଛନ୍ତି। କେତେକ ରାଜ୍ୟ ବାହାରକୁ ମଧ୍ୟ ଯାଇଥିବା ବେଳେ ଅନ୍ୟ କେହି କେହି ଅସୁସ୍ଥତା କାରଣରୁ ପରୀକ୍ଷା ଦେଇପାରିନାହାନ୍ତି।

କିଛି ସ୍ଥାନରେ ଛାତ୍ରୀମାନେ ପରୀକ୍ଷା ପୂର୍ବରୁ ବିବାହ କରିଦେବା ଘଟଣା ମଧ୍ୟ ଦେଖାଯାଉଛି, ଯାହା ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ିବାର ଏକ କାରଣ ହେବାକୁ କୁହାଯାଉଛି।ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସାମାଜିକ ଓ ଆର୍ଥିକ ପରିସ୍ଥିତି ଅନୁପସ୍ଥିତିର ମୁଖ୍ୟ କାରଣ। ଡ୍ରପ୍ ଆଉଟ୍ ସଂଖ୍ୟା କମାଇବା ପାଇଁ ପ୍ରତିବର୍ଷ ଡୋର ଟୁ ଡୋର ଅଭିଯାନ କରାଯାଉଛି। ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭରୁ ପୁଣିଥରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ପରୀକ୍ଷାରେ ଅଂଶଗ୍ରହଣ ନ କରିଥିବା ପିଲାମାନଙ୍କ କାରଣ ଖୋଜି ସେମାନଙ୍କୁ ପୁଣି ଶିକ୍ଷା ପ୍ରବାହରେ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *