Sun. Feb 22nd, 2026

ନ୍ୟୁଜ ଡେକ୍ସ : ଓଡ଼ିଆ ସିନେମା ପ୍ରେମୀଙ୍କ ପାଇଁ ରଜ ପର୍ବରେ ଏକ ନୂଆ ଆକର୍ଷଣ ନେଇ ଆସୁଛି ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’। ମକର ସଂକ୍ରାନ୍ତି ଅବସରରେ ଭୁବନେଶ୍ୱରର ପଦ୍ମଜା ହୋଟେଲରେ ଏହି ଫିଲ୍ମର ଟିଜର ଆନୁଷ୍ଠାନିକ ଭାବେ ମୁକ୍ତିଲାଭ କରିଛି। ଟିଜର ରିଲିଜ ସହିତ ଫିଲ୍ମର ଷ୍ଟାରକାଷ୍ଟ ଓ ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ଆସନ୍ତା ୧୨ ଜୁନ୍ ୨୦୨୬ରେ ଫିଲ୍ମଟି ପରଦାକୁ ଆସିବ।‘ଦ ମିଲେଟ୍ ଡାଏରୀ’ ମାଣ୍ଡିଆର ଔଷଧୀୟ ଗୁଣ, ଐତିହାସିକ ପୃଷ୍ଠଭୂମି ଏବଂ ଓଡ଼ିଶାର କବିରାଜି ପରମ୍ପରାକୁ ନେଇ ଏକ ଭିନ୍ନ ସ୍ୱାଦର କାହାଣୀ ପ୍ରସ୍ତୁତ କରୁଛି। ଏଥିରେ ଏକ ଅନନ୍ୟ ପ୍ରେମ କାହାଣୀ ସହ ସାଂସ୍କୃତିକ ଓ ଐତିହ୍ୟବାହୀ ଦୃଶ୍ୟକୁ ସୁନ୍ଦର ଭାବେ ପରିବେଷଣ କରାଯାଇଛି। ୧ ମିନିଟ ୫୫ ସେକେଣ୍ଡର ଟିଜରଟି ୟୁଟ୍ୟୁବରେ ମୁକ୍ତିଲାଭ କରିବା ସହ ବ୍ୟାପକ ପ୍ରଶଂସା ଲାଭ କରିଛି।ଇନଫାଇସନ ଏଣ୍ଟରଟେନମେଣ୍ଟ ପ୍ରେଜଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମହନ୍ତ।

କାହାଣୀ ଓ ପ୍ରଯୋଜନାର ଦାୟିତ୍ୱ ନେଇଛନ୍ତି JRM ଓ ସହ ପ୍ରଯୋଜକ ରୋଜାଲିନ୍ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ କରିଥିବା ବେଳେ, ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଶୋଇ ଓ ଉତ୍ତମ କୁମାର ଲେଖିଛନ୍ତି। ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର ବୈଦ ଚରିତ୍ରରେ ଗୁରୁତ୍ୱପୂର୍ଣ ଭୂମିକାରେ ନଜର ଆସିବେ।

ତାଙ୍କ ସହ ଅଭିଷେକ ପଣ୍ଡା, ଶିବାନୀ ସଂଗୀତା, କୁନା ତ୍ରିପାଠୀ, ଶ୍ରଦ୍ଧା ଦାସ, ଶକ୍ତି ବରାଲ ସହ ବହୁ ତାରକା ଅଭିନୟ କରିଛନ୍ତି। ଟିଜରରେ ଯୁଦ୍ଧ, ରହସ୍ୟ, ଆସ୍ଥା ଓ ପ୍ରଭୁ ଜଗନ୍ନାଥଙ୍କ କୃପାର ସନ୍ଦେଶ ଦର୍ଶକଙ୍କୁ ଆକର୍ଷିତ କରୁଛି।ମାଣ୍ଡିଆର ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ପ୍ରୟାସ ସହ ଓଡ଼ିଆ ସିନେମାକୁ ଏକ ନୂଆ ଦିଗ ଦେବ ବୋଲି ‘ଦ ମିଲେଟ୍ ଡାଏରୀ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଭାରି ଆଶା ଜନ୍ମ ନେଇଛି।

Leave a Reply

Your email address will not be published. Required fields are marked *