Wed. Feb 25th, 2026

ନ୍ୟୁଜ ଡେକ୍ସ : ଆଜି ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାର ଅର୍ଥାତ୍ ମାଣବସା ଗୁରୁବାର ଓଷା। ରାଜ୍ୟର ସମସ୍ତ ଅଞ୍ଚଳରେ ଘରେ ଘରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ପୂଜା ଉତ୍ସାହପୂର୍ଣ୍ଣ ପରିବେଶରେ ହେଉଛି। ସଧବା ନାରୀମାନେ ଅଗଣା ଓ ଘରଦ୍ୱାରକୁ ରଙ୍ଗବେରଙ୍ଗ ଝୋଟି ଦେଇ, ନୂଆ ଲୁଗା ପରିଧାନ କରି ମା’ଙ୍କ ଆବାହନ କରୁଛନ୍ତି। ଗାଁଠୁ ସହର ପର୍ଯ୍ୟନ୍ତ ଶଙ୍ଖ ଓ ହୁଳହୁଳିର ଶବ୍ଦରେ ଆଜି ହର୍ଷୋଲ୍ଲାସ ମାହଲ ରହିଛି।

ପାରମ୍ପରିକ ବିଶ୍ୱାସ ଅନୁଯାୟୀ, ଯେଭଳି ଭକ୍ତି ଓ ଶୁଚିତାର ସହ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଏ, ସେଭଳି ଘରରେ ମା’ ନିଜେ ବିଜେ କରିଥାନ୍ତି। ‘ମାଣ ବସାଇବା’ରୁ ଆସିଛି ଏହି ଓଷାର ନାମ ମାଣବସା ଗୁରୁବାର। ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହୋଇଥିବାରୁ ଧାନମାଣ ବସାଇ ପୂଜା କରିବା ଏହି ଓଷାର ମୂଳ ପରମ୍ପରା। ପାଳାଗାଥା ଅନୁସାରେ, ମାଣବସା ଗୁରୁବାର ମା’ ଲକ୍ଷ୍ମୀଙ୍କ ମହିମା ଓ ସମାଜରେ ଅଛୁଆଁ-ଛୁଆଁ ଭେଦଭାବକୁ ଦୂର କରିବା ଉଦ୍ଦେଶ୍ୟରେ ଏକ ନିତିଶିକ୍ଷାମୂଳକ ଓଷା। ଲକ୍ଷ୍ମୀ ଚଣ୍ଡାଳୁଣୀ ଘରେ ଯିବା ପରେ ବଳଭଦ୍ର ଦ୍ୱାରା ବଡ଼ଦେଉଳ ଦ୍ୱାର ତାଙ୍କ ପାଇଁ ବନ୍ଦ ହୋଇଥିଲା।

ଏହାରେ ଅପମାନିତ ହୋଇ ମା’ ଲକ୍ଷ୍ମୀ ମନ୍ଦିର ଛାଡିଥିଲେ ଓ ବିଶ୍ୱକର୍ମାଙ୍କ ନିର୍ମିତ ପ୍ରାସାଦରେ ନିଜ ଆସ୍ଥାନ ନେଇଥିଲେ। ଶେଷରେ ଶୁଚିଶୁଦ୍ଧ ଲୋକମାନଙ୍କ ଦ୍ୱାର ସବୁଙ୍କ ପାଇଁ ଖୋଲା ରହିବ ବୋଲି ପ୍ରତିଜ୍ଞା ନେଇ ମା’ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ।ଆଜି ସକାଳୁ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟି ଚିତା ପକାଇଥିବା ଦେଖିବାକୁ ମିଳିଛି। ଖଟୁଲି ଉପରେ ଧଳା ଧାନର ମାଣ ବସାଇ ଏହାକୁ ନବବଧୂ ସଦୃଶ ଶୃଙ୍ଗାର କରାଯାଉଛି। ଷୋଳ ପାଖୁଡ଼ା ବିଶିଷ୍ଟ ପଦ୍ମ ଅଙ୍କନ ମାଧ୍ୟମରେ ମା’ ଲକ୍ଷ୍ମୀଙ୍କ ଆସ୍ଥାନ ସଜାଯାଉଛି।

ପୂଜା ପାଇଁ ମାଣ, ଗୁଆ, କଉଡି, ନଡିଆ, ଦୁବ, ସିନ୍ଦୂର, ବରକୋଳି ପତ୍ର ଓ ନୈବେଦ୍ୟ ସଜାଯାଇଛି। ମାଣକୁ ହଳଦୀପାଣିରେ ଧୋଇ ସିନ୍ଦୂର ଦେଇ ଶୁଭ ଆଶୀର୍ବାଦ ସହ ବସାଯାଉଛି।ମାଣବସା ଗୁରୁବାର ଓଷା ମା’ ଲକ୍ଷ୍ମୀଙ୍କ ପ୍ରତି ଭକ୍ତି, ଶୁଚିତା ଓ ସମାନତାର ଶିକ୍ଷା ଦେଇଥାଏ। ଏହି ଦିନ ଓଡ଼ିଆ ଗୃହିଣୀମାନେ ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ଭକ୍ତିର ସହିତ ଉପବାସ ଓ ପୂଜା କରୁଛନ୍ତି।

Leave a Reply

Your email address will not be published. Required fields are marked *