Fri. Feb 27th, 2026

ନ୍ୟୁଜ ଡେକ୍ସ : ଆସନ୍ତା ମାର୍ଚ୍ଚ ମାସରେ ବ୍ୟାଙ୍କ କାମ ବାକି ରଖିଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା। ଆଗାମୀ ମାସରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ। ହୋଲି, ଇଦ୍, ରାମ ନବମୀ ଭଳି ବଡ଼ ପର୍ବପର୍ବାଣୀ ସହିତ ରବିବାର ଓ ଶନିବାର ଛୁଟି ମିଶି ଏହି ଛୁଟି ସଂଖ୍ୟା ବଢ଼ିଛି। ଏହାର ପ୍ରଭାବରେ ବ୍ୟାଙ୍କ ସେବା କେତେକ ଦିନ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।

ମାର୍ଚ୍ଚ ମାସ ଆର୍ଥିକ ବର୍ଷର ଶେଷ ମାସ ହେବାରୁ ସାଧାରଣତଃ ବ୍ୟାଙ୍କିଂ କାର୍ଯ୍ୟର ଚାପ ବଢ଼ିଥାଏ। କିନ୍ତୁ ମାର୍ଚ୍ଚ ୨୦୨୬ରେ ମୋଟ ୫ଟି ରବିବାର ଓ ୨ଟି ଶନିବାର ସହିତ ୧୧ ଦିନ ପର୍ବପର୍ବାଣୀ ନିମନ୍ତେ ବ୍ୟାଙ୍କ ଛୁଟି ଘୋଷଣା କରାଯାଇଛି। ମାର୍ଚ୍ଚ ୧ ରବିବାର ଥିବାବେଳେ, ମାର୍ଚ୍ଚ ୨, ୩ ଓ ୪ରେ ହୋଲି ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ଲଗାତାର ବନ୍ଦ ରହିବ। ମାର୍ଚ୍ଚ ୮ ରବିବାର, ମାର୍ଚ୍ଚ ୧୪ ଦ୍ୱିତୀୟ ଶନିବାର ଏବଂ ମାର୍ଚ୍ଚ ୧୫ ରବିବାର ହେତୁ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୧୯ରେ ଗୁଡ଼ି ପାଡୱା ଓ ଉଗାଦି, ମାର୍ଚ୍ଚ ୨୦ରେ ଶବ୍-ଏ-ବରାତ ଏବଂ ମାର୍ଚ୍ଚ ୨୧ରେ ଇଦ୍-ଉଲ୍-ଫିତର ପାଇଁ ବହୁତ ସ୍ଥାନରେ ଛୁଟି ରହିବ। ମାର୍ଚ୍ଚ ୨୨ ପୁଣି ରବିବାର ପଡ଼ୁଛି।

ମାର୍ଚ୍ଚ ୨୬ ଓ ୨୭ରେ ରାମ ନବମୀ ଉତ୍ସବ ଅବସରରେ ଛୁଟି ରହିବା ସହିତ ମାର୍ଚ୍ଚ ୨୮ ଚତୁର୍ଥ ଶନିବାର, ମାର୍ଚ୍ଚ ୨୯ ରବିବାର ଏବଂ ମାର୍ଚ୍ଚ ୩୧ରେ ମହାବୀର ଜୟନ୍ତୀ ପାଇଁ ବ୍ୟାଙ୍କ ସେବା ବନ୍ଦ ରହିବ।ତଥାପି ଏହି ସମସ୍ତ ଛୁଟି ସାରା ଦେଶରେ ସମାନ ନୁହେଁ। Reserve Bank of Indiaର ନିୟମ ଅନୁଯାୟୀ କିଛି ଛୁଟି ଆଞ୍ଚଳିକ ପର୍ବ ଉପରେ ଆଧାରିତ। ଯଥା ଗୁଡ଼ି ପାଡୱା ମହାରାଷ୍ଟ୍ରରେ ଏବଂ ଉଗାଦି ଦକ୍ଷିଣ ଭାରତର କିଛି ରାଜ୍ୟରେ ପାଳନ କରାଯାଏ।

ତେଣୁ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟର ଗ୍ରାହକମାନେ ନିଜ ଆଞ୍ଚଳିକ ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରି ନେବା ଆବଶ୍ୟକ।ଚେକ୍ କ୍ଲିୟରାନ୍ସ ଓ ଅନ୍ୟାନ୍ୟ ଜରୁରୀ ନେଣଦେଣରେ ବିଳମ୍ବ ହେବାର ସମ୍ଭାବନା ଥିବାରୁ ଛୁଟି ପୂର୍ବରୁ କାମ ସାରିଦେବା ଉଚିତ। ବିଶେଷକରି ଟିକସ ଯୋଜନା କିମ୍ବା ଆର୍ଥିକ ବର୍ଷ ଶେଷ ସମ୍ବନ୍ଧୀୟ କାମ ପାଇଁ ଆଗୁଆ ପ୍ରସ୍ତୁତି ହିଁ ଶ୍ରେଷ୍ଠ ଉପାୟ।

Leave a Reply

Your email address will not be published. Required fields are marked *