ନ୍ୟୁଜ ଡେକ୍ସ : ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ତାତିର ତାଣ୍ଡବ ଆରମ୍ଭ ହୋଇଛି। ଦିନ ୧୦ଟା ପରେ ଘରୁ ବାହାରିଲେ ଦେହ ଜଳିଯାଉଥିବା ଭଳି ଅନୁଭୂତି ହେଉଛି। ହୋଲି ପୂର୍ବରୁ ହିଁ ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ଅବଧି ଅଧିକ ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।ରବିବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୬.୮ ଡିଗ୍ରୀ ସେଲସିୟସ ଥିଲା।
ସୋମବାର ଏହା ବଢ଼ି ୩୮ ଡିଗ୍ରୀକୁ ଛୁଇଁଥିଲା—ମାତ୍ର ଦିନକରେ ପ୍ରାୟ ୨ ଡିଗ୍ରୀ ବୃଦ୍ଧି। ତାଳଚେରରେ ୩୫.୪ ଡିଗ୍ରୀରୁ ୩୭ ଡିଗ୍ରୀକୁ ତାପମାତ୍ରା ବଢ଼ିଛି। ଭୁବନେଶ୍ୱରରେ ମଧ୍ୟ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବୃଦ୍ଧି ପାଇଛି ଓ ଦିନବେଳା ପ୍ରଚଣ୍ଡ ତାତି ଅନୁଭୂତ ହେଉଛି।ମଙ୍ଗଳବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ୩୫ରୁ ୩୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବା ସମ୍ଭାବନା। ହୋଲି ଦିନ ଝାରସୁଗୁଡ଼ାରେ ପାରା ୩୯ ଡିଗ୍ରୀ ଛୁଇଁଯାଇପାରେ। ମଙ୍ଗଳବାର ସୋନପୁର ଓ ଝାରସୁଗୁଡ଼ାରେ ୩୮ ଡିଗ୍ରୀ, ସୁନ୍ଦରଗଡ଼, ଭବାନୀପାଟଣା, ବଲାଙ୍ଗୀର, ବାରିପଦା, ଭୁବନେଶ୍ୱର ଓ ସମ୍ବଲପୁରରେ ୩୭ ଡିଗ୍ରୀ ପର୍ଯ୍ୟନ୍ତ ପାରା ଚଢ଼ିପାରେ। ୪ ତାରିଖରେ ଟିଟିଲାଗଡ଼, ସୋନପୁର, ସମ୍ବଲପୁର ଓ ଭୁବନେଶ୍ୱରରେ ୩୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବା ଆକଳନ।ସୋମବାର ସମ୍ବଲପୁରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୬.୬, ଢେଙ୍କାନାଳରେ ୩୬.୬, ତାଳଚେରରେ ୩୭, ପାରଳାଖେମୁଣ୍ଡିରେ ୩୬.୨, ରାଉରକେଲାରେ ୩୬.୩ ଓ ଟିଟିଲାଗଡ଼ରେ ୩୬ ଡିଗ୍ରୀ ରେକର୍ଡ ହୋଇଥିଲା।
ଅନୁଗୁଳରେ ୩୬.୧ ଡିଗ୍ରୀ ରହିଥିଲା।ଆଇଏମଡି ଚେତାବନୀ ଦେଇଛି ଯେ, ମାର୍ଚ୍ଚରୁ ମେ ମାସ ମଧ୍ୟରେ ସ୍ୱାଭାବିକଠାରୁ ଅଧିକ ତାତି ଦେଖିବାକୁ ମିଳିବ। ବିଶେଷକରି ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୧୨ରୁ ୧୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ରହିପାରେ। ହୋଲି ପରେ ତାତି ଆହୁରି ବଢ଼ିବା ଆଶଙ୍କା ରହିଛି। ତେଣୁ ଦିନବେଳା ଅନାବଶ୍ୟକ ଭାବେ ବାହାରିବାକୁ ଏଡ଼ାଇବା ସହିତ ପାଣି ପିବା ଓ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

