ନ୍ୟୁଜ ଡେକ୍ସ : ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା Bhubaneswar, Khordha, Banapur, Chilika, Tangi, Jatani ଓ Beguniaରେ ଏହି ଲୋକ ଅଦାଲତ ଚାଲିବ। ଏନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ସଲୋମୀ ସାହୁ ସୂଚନା ଦେଇଛନ୍ତି।ଲୋକ ଅଦାଲତରେ ସମସ୍ତ ପ୍ରକାର ବିଚାରାଧୀନ ମାମଲା ଆପୋସ ସହମତି ଭିତ୍ତିରେ ସମାଧାନ କରାଯାଇପାରିବ।
ଫୌଜଦାରୀ (ସାଲିସ ଯୋଗ୍ୟ) ମାମଲା, ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ ଓ ଋଣ ଖିଲାପି, ରାଜସ୍ୱ ସମ୍ବନ୍ଧୀୟ ମାମଲା, ମୋଟର ଯାନ ଦୁର୍ଘଟଣା, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ପାନୀୟ ଜଳ ଓ ଟେଲିଫୋନ୍ ଅନାଦାୟ, ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ ଓ ଚାକିରି ସମ୍ବନ୍ଧୀୟ ମାମଲା ସହ ସମସ୍ତ ପ୍ରକାରର ଦେୱାନୀ ମାମଲାର ନିଷ୍ପତ୍ତି ଏହି ମଞ୍ଚରେ ହେବ।
ଲୋକ ଅଦାଲତରେ ମାମଲା ଫଇସଲା ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଲାଗେନି। ଏହି ଅଦାଲତର ରାୟ ଚୂଡ଼ାନ୍ତ ଓ ବୈଧ ହେବ। ଯଦି କୌଣସି ବିଚାରାଧୀନ ମାମଲା ଲୋକ ଅଦାଲତ ମାଧ୍ୟମରେ ସମାଧାନ ହୁଏ, ପୂର୍ବରୁ ଦେଇଥିବା କୋର୍ଟ ଫି ଫେରତ ପାଇବାର ମଧ୍ୟ ବ୍ୟବସ୍ଥା ରହିଛି। ଜନସାଧାରଣଙ୍କୁ ଏହି ସୁଯୋଗର ସଦୁପଯୋଗ କରି ଦୀର୍ଘଦିନ ଧରି ଚାଲିଥିବା ମାମଲାର ସମାଧାନ କରିବାକୁ ଆହ୍ୱାନ କରାଯାଇଛି।

