Tue. Feb 24th, 2026

ନ୍ୟୁଜ ଡେକ୍ସ :ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। ପରୀକ୍ଷା କାଳୀନ କୌଣସି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ କିମ୍ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି।ଏବେ ମାଟ୍ରିକ୍ ଉତ୍ତରଖାତା ମୂଲ୍ୟାୟନ ପ୍ରକ୍ରିୟା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ଏପ୍ରିଲ୍ ୨ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ବୋର୍ଡ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଛି।

ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି) ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଖାତା ଦେଖା ପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୫୦ଟି ମୂଲ୍ୟାୟନ କେନ୍ଦ୍ର ସ୍ଥାପନ କରାଯାଇଛି।ଏଥିରୁ ୪୭ଟି ହାଇସ୍କୁଲରେ ମାଟ୍ରିକ୍ ଖାତା ମୂଲ୍ୟାୟନ ବ୍ୟବସ୍ଥା ରହିଛି। ଦୁଇଟି କେନ୍ଦ୍ରରେ ଏସ୍ଓଏସ୍‌ସି ଓ ଗୋଟିଏ କେନ୍ଦ୍ରରେ ସଂସ୍କୃତ ମଧ୍ୟମା ଖାତା ଦେଖାଯିବ। ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ କେଉଁ ନୋଡାଲ୍ ସେଣ୍ଟରରୁ ଉତ୍ତରଖାତା କେଉଁ କେନ୍ଦ୍ରକୁ ପହଞ୍ଚିବ, ସେଥିପାଇଁ ବୋର୍ଡ ପକ୍ଷରୁ ଗୋପନୀୟ ଭାବେ ବିଶେଷ ଟିମ୍ ନିୟୋଜିତ କରାଯାଇଛି। ମାର୍ଚ୍ଚ ୧୮ ତାରିଖରୁ ମୂଲ୍ୟାୟନରେ ନିୟୋଜିତ ପରୀକ୍ଷକ ଓ ଶିକ୍ଷକମାନେ କେନ୍ଦ୍ରରେ ଉପସ୍ଥିତ ହେବେ। ଜଣେ ଶିକ୍ଷକ ଦିନକୁ ୨୫ରୁ ୩୦ଟି ଖାତା ଯାଞ୍ଚ କରିବେ। ସମୁଦାୟ ୧୨ ହଜାରରୁ ଅଧିକ ଶିକ୍ଷକ ଏହି ମୂଲ୍ୟାୟନ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି।

ଏହାସହିତ ପ୍ରତ୍ୟେକ ମୂଲ୍ୟାୟନ କେନ୍ଦ୍ରରେ ୪ ଜଣ କରି ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ କରାଯିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀମାନେ ବ୍ୟବସ୍ଥା କରୁଛନ୍ତି। ମୂଲ୍ୟାୟନକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଜଣେ ମୁଖ୍ୟ ପରୀକ୍ଷକ, ଦୁଇ ଡେପୁଟି ଚିଫ୍ ଏକଜାମିନର ଓ ଦୁଇ ଜଣ ସ୍କୃଟିନାଇଜରଙ୍କୁ ମଧ୍ୟ ନିୟୋଜନ କରାଯାଇଛି।ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ଫଳାଫଳ ପ୍ରକାଶ ପାଇଁ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି।

Leave a Reply

Your email address will not be published. Required fields are marked *