ନ୍ୟୁଜ ଡେକ୍ସ : ପ୍ରତିବର୍ଷ ପରି ଏବର୍ଷ ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଆଡମ୍ବରରେ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ପକ୍ଷରୁ ସୂଚନା ମିଳିଛି। ଏନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସହ ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ଦଳ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ଦଳ ସଭାନେତ୍ରୀ ଇପ୍ସିତା ସାହୁ ଉପସ୍ଥିତ ଥିଲେ।
ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମାର୍ଚ୍ଚ ୫ ତାରିଖରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟର ଜିଲ୍ଲା ସଭାପତି ଓ ନିର୍ବାଚନ ମଣ୍ଡଳୀ ନେତୃତ୍ୱଙ୍କୁ ଅବଗତ କରାଯାଇଛି। ସେହିଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ, ଦେଶାତ୍ମବୋଧ ସଙ୍ଗୀତ ଗାନ ଓ ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କ ଅବଦାନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହା ସହ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯିବ।
ଦଳ ମୁଖ୍ୟାଳୟରେ ମଧ୍ୟ ଜୟନ୍ତୀ ଉତ୍ସବ ଆୟୋଜିତ ହେବ ଓ ସେଠାରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ।ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ପ୍ରତିବର୍ଷ ବିଜୁ ଜୟନ୍ତୀକୁ ରାଜ୍ୟବ୍ୟାପୀ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ପ୍ରବାଦ ପୁରୁଷଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଗଠିତ ଦଳ ସଦା ସେବା କାର୍ଯ୍ୟକ୍ରମକୁ ପ୍ରାଥମ୍ୟ ଦେଇଆସୁଛି। ଏହି ଅବସରରେ ଦଳର ନେତା ଓ କର୍ମୀମାନେ ବିଜୁ ବାବୁଙ୍କ କୀର୍ତ୍ତିକୁ ସ୍ମରଣ କରି ସମାଜସେବାରେ ବ୍ରତୀ ହେବାକୁ ସଂକଳ୍ପ ନେବେ।

