ନ୍ୟୁଜ ଡେକ୍ସ : ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରେ ବିଏସଏଫ ଏବଂ ଓଡ଼ିଶା ପୁଲିସଙ୍କ ଯୁକ୍ତ କୋମ୍ବିଂ ଅଭିଯାନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ପଥର ଗୁମ୍ଫା ତଳେ ଲୁଚାଇ ରଖାଯାଇଥିବା ଏହି ବସ୍ତୁଗୁଡ଼ିକ ମାଓବାଦୀ କାର୍ଯ୍ୟକଳାପ ସହ ଜଡିତ ଥିବା ସନ୍ଦେହ ଉଠିଛି।
ବିସ୍ଫୋରକ ମଧ୍ୟରେ ଗୋଟିଏ ବନ୍ଧୁକ, ୧୧୦ଟି ଜିଲାଟିନ ଷ୍ଟିକ, ମାଓବାଦୀ ପୁସ୍ତିକା, ୧୭୦ଟି ୭.୬୨ ଏମଏମ ଇଏଫସି, ୧୫୦ଟି କାଟ୍ରିଜ ରହିଛି।ସୁରକ୍ଷାବାହିନୀଙ୍କ ଅନୁସାରେ, ମାଓବାଦୀମାନେ ଏହି ଅଞ୍ଚଳରେ ପୁନଃ ସକ୍ରିୟ ହେବାକୁ ଚେଷ୍ଟା କରୁଥିବା ବେଳେ ଏସବୁ ବିସ୍ଫୋରକ ଏବଂ ଅସ୍ତ୍ର ଭବିଷ୍ୟତ ଆକ୍ରମଣ ପାଇଁ ଲୁଚାଇ ରଖିଥିବା ସମ୍ଭାବନା ରହିଛି।
ଏହି ଜବତ ମାଲକାନଗିରି-ଛତିଶଗଡ଼ ସୀମା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସତର୍କ କରିଛି। ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ସମଗ୍ର ଅଞ୍ଚଳରେ କୋମ୍ବିଂ ଅଭିଯାନ ଜାରି ରହିବ ଓ ମାଓବାଦୀ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ସେମାନେ ପ୍ରସ୍ତୁତ।

