ନ୍ୟୁଜ ଡେକ୍ସ : ମାଲକାନଗିରି ଏମ୍ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ଚାଲୁଥିବା ବିବାଦ ପରିସ୍ଥିତିକୁ ନେଇ ଉପମୁଖ୍ୟମନ୍ତ୍ରୀ କେନକ ବର୍ଦ୍ଧନ ସିଂହଦେଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି । ସିଂହଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗତକାଲି ମାଲକାନଗିରି ପହଞ୍ଚି ସ୍ଥଳୀୟ ସ୍ଥିତି ସମୀକ୍ଷା କରି ଦୁଇପକ୍ଷୀୟ ଗୋଷ୍ଠୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ ।
ଜିଲ୍ଲାପାଳ କାର୍ଯ୍ୟାଳୟରେ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଉଭୟ ପକ୍ଷ ନିଜ ଦାବିପତ୍ର ଦାଖଲ କରିଛନ୍ତି ଏବଂ ସେ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ସେ କହିଛନ୍ତି, “ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ସୁପାରିଶ କରାଯାଇଛି । ଦୁଇପକ୍ଷ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇଛି ।”ଇତିମଧ୍ୟରେ ଏମ୍ଭି-୨୬ ଅଞ୍ଚଳର ସ୍ଥିତି ଧୀରେ ଧୀରେ ସାଧାରଣ ହେଉଛି ।
ଶାନ୍ତି ଫେରୁଥିବା ସୂଚନା ମିଳିଛି । ଯଥାପି, ସାବଧାନତା ରୂପେ ଜିଲ୍ଲାରେ ଇଣ୍ଟରନେଟ୍ କଟକଣାକୁ ଆଉ ୨୪ ଘଣ୍ଟା ବଢ଼ାଯାଇଛି । ଆଜି ରାତି ୧୨ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ । ସେପଟେ, ଆସନ୍ତା ୧୪ରୁ ୧୮ ଡିସେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ମାଲ୍ୟବନ୍ତ ମହୋତ୍ସବ ମଧ୍ୟ ସ୍ଥଗିତ କରାଯାଇଛି । ପ୍ରଶାସନ ଏହାକୁ ସୁରକ୍ଷା ଓ ଶାନ୍ତି ଦୃଷ୍ଟିରୁ ନିଆଯାଇଥିବା ପଦକ୍ଷେପ ବୋଲି କହିଛି ।ସ୍ଥିତି ସାଧାରଣ ହେଉଥିବା ବେଳେ ପ୍ରଶାସନ ଓ ସରକାର ସତର୍କ ଦୃଷ୍ଟି ରଖିଛନ୍ତି ।

