ନ୍ୟୁଜ ଡେକ୍ସ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମହାସମୁଦ ଜିଲ୍ଲା ଅନ୍ତର୍ଗତ ବାଲୁଦା ଥାନାରେ ବଡ଼ ସଫଳତା ହାସଲ କରିଛି ପୁଲିସ। ବଲାଙ୍ଗୀର, ବରଗଡ଼ ଓ ମହାସମୁଦ ଅଞ୍ଚଳରେ ସକ୍ରିୟ ଥିବା ୧୫ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ ଘଟଣା ସୀମାନ୍ତ ଅଞ୍ଚଳରେ ମାଓ ସଂଗଠନ ପାଇଁ ଏକ ବଡ଼ ଝଟକା ବୋଲି ମନେ କରାଯାଉଛି।ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ମାଓ ସଂଗଠନର ସଚିବ ବିକାଶ ମଧ୍ୟ ରହିଛନ୍ତି।
ବିକାଶଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା। ସେ ଦୀର୍ଘ ସମୟ ଧରି ମାଲକାନଗିରି ସୀମାନ୍ତ ସହ ବଲାଙ୍ଗୀର ଓ ବରଗଡ଼ ଅଞ୍ଚଳରେ ଗୁପ୍ତଭାବେ ସଂଗଠନକୁ ସକ୍ରିିୟ ରଖିବାରେ ଲିପ୍ତ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।ସରେଣ୍ଡର କରିଥିବା ୧୫ ଜଣ ମାଓବାଦୀଙ୍କ ମଧ୍ୟରୁ ୯ ଜଣ ମହିଳା ଓ ୬ ଜଣ ପୁରୁଷ ଅଛନ୍ତି। ସେମାନେ ଦୀର୍ଘଦିନ ଧରି ମାଓ ସଂଗଠନ ସହ ଜଡିତ ଥିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସକ୍ରିୟ ଭୂମିକା ନେଇଥିବା ଅଭିଯୋଗ ରହିଛି। ସୁରକ୍ଷା ବାହିନୀଙ୍କ ଅବିରତ ଅଭିଯାନ ଓ ଚାପରେ ସେମାନେ ମୁଖ୍ୟଧାରାକୁ ଫେରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ପୁଲିସ ଅଧିକାରୀମାନଙ୍କ କହିବା ଅନୁସାରେ, ସରକାରଙ୍କ ପୁନର୍ବାସ ଓ ପୁନର୍ବସନ ନୀତି ପ୍ରତି ଆସ୍ଥା ବଢ଼ିବାରୁ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି।
ସରେଣ୍ଡର ପରେ ସେମାନଙ୍କୁ ସରକାରୀ ନୀତିଅନୁଯାୟୀ ସମସ୍ତ ସୁବିଧା ଓ ପୁନର୍ବାସ ସହାୟତା ଯୋଗାଇଦିଆଯିବ ବୋଲି ଜଣାଯାଇଛି।ସୀମାନ୍ତ ଅଞ୍ଚଳରେ ମାଓବାଦୀ ଦମନ ଅଭିଯାନ ତୀବ୍ର ହେବା ସହ ସୁରକ୍ଷା ବାହିନୀଙ୍କ ସଂଯୁକ୍ତ କାର୍ଯ୍ୟର ଫଳସ୍ୱରୂପ ଏହି ଆତ୍ମସମର୍ପଣ ସମ୍ଭବ ହୋଇଥିବା କୁହାଯାଉଛି। ଏହା ଅଞ୍ଚଳରେ ଶାନ୍ତି ଓ ବିକାଶ ପଥରେ ଆଉ ଗୋଟିଏ ମୁଖ୍ୟ ପଦକ୍ଷେପ ଭାବେ ଦେଖାଯାଉଛି।

