Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଏମସିରେ ଆକ୍ରମଣ ହୋଇଥିବା ଘଟଣାକୁ ନେଇ ପ୍ରତିକ୍ରିୟା ଦେଲେ ମେୟର ସୁଲୋଚନା ଦାସ। ସେ ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ବିଏମସି ଅଫିସରେ ବୈଠକ ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ମେୟର। ଆଜି ଅଫିସ୍‌ରେ ବୈଠକ ପରେ କଡ଼ା ପ୍ରତିକ୍ରିୟା ରଖି ମେୟର କହିଛନ୍ତି, ଛିଡ଼ା ହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ, ଗନ୍‌ମ୍ୟାନ୍‌ ଦରକାର । ଯଦି ସେମାନେ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପାରୁ ନାହାଁନ୍ତି, ତେବେ କାହିଁକି ରହିବେ ।

ସେହିପରି ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି ସଂସ୍ଥାକୁ ଟାର୍ଗେଟ୍‌ କରିଛନ୍ତି । ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କାହିଁକି ଜଣାଇ ନ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲୋଚନା । ଆମେ ସ୍ମାର୍ଟସିଟି ହାତରୁ ଦାୟିତ୍ବ କାଢ଼ି ବିଏମସିକୁ ଦେବାକୁ ଚାହୁଁଛୁ ବୋଲି ସେ ଦାବି କରିଛନ୍ତି ।ଏଥିସହିତ ସେ ଏହାବି ଦାବି କରିଛନ୍ତି, ଯେ, ବିଏମସି ଆକ୍ରମଣରେ ଯିଏବି ମାଷ୍ଟର ମାଇଣ୍ଡର ତାକୁ ଗିରଫ କରାଯାଉ । ଏଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ ? ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ । ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ । କିନ୍ତୁ ଓଏଏସ ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି । ବିଏମସିରେ ମଧ୍ୟ ସମସ୍ତେ ଛୁଟିରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ସୁଲୋଚନା ।

ଏଥିସହିତ ମେୟର ହିସାବରେ ସେ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ବି କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇସାରିଛନ୍ତି। ଗତ ଜୁନ 30 ତାରିଖରେ BMC ଅଫିସରଙ୍କୁ ବିଧା ଗୋଇଠା ମାରି ଦରମରା କରିଥିଲେ ଦୁର୍ବୃତ୍ତ । ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ପିଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।କାର୍ଯ୍ୟାଳୟରୁ ଘୋଷାଡି ନେବା ସହ ବିଧା, ଗୋଇଠା ମାରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଏହି ଭିଡିଓରେ। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ କିଏ ତାହା ସ୍ପଷ୍ଟ ହୋଇ ନ ଥିବା କହିଛି କମିସନରେଟ୍ ପୋଲିସ । କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିବେଳେ ଏ ଅଘଟଣ ଘଟିଥିବା ସୂଚନା ।

Leave a Reply

Your email address will not be published. Required fields are marked *