Mon. Dec 23rd, 2024

ନ୍ୟୁଜ ଡେକ୍ସ: ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ମା’ଙ୍କ ଅଳଙ୍କାରକୁ ଲୁଟି ନେଇଥିଲେ। ଏହାକୁ ନେଇ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନା,ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ରାଜ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ଯୁବନେତା ସୀତାରାମ ପାଣିଗ୍ରାହୀ, ଜୟନାରାୟଣ ଦାଶ, ଜିଲା ସମ୍ପାଦକ ଅନିଲ କୁମାର ପଣ୍ଡା ପ୍ରମୁଖ ଶୁକ୍ରବାର ରାତିରେ ଆସି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

ସୂଚନା ଅନୁସାରେ, ଗତ ୫ ତାରିଖ ବିଳମ୍ବିତ ରାତିରେ ମା’ଙ୍କ ମନ୍ଦିରରେ କଳାକନା ବୁଲାଇଥିଲେ ଲୁଟେରା। ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଫେରାର ହୋଇ ଯାଇଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳି ପାରିନି। ପୁରୁଷୋତ୍ତମପୁର ଥାନା ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ୪ ଦିନ ପରେ ବି ଲୁଟେରାଙ୍କ ପତ୍ତା ମିଳିପାରିନି।

ଏହି ଘଟଣା ବହୁ ଶ୍ରଦ୍ଧାଳୁଙ୍କ ଭାବାବେଗକୁ କୁଠାରଘାତ କରିଥିବା ବେଳେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। କେମିତି ଚୋରି ହେଲା ମା’ଙ୍କ ଅଳଙ୍କାର, ତଦନ୍ତର ଗତି କେତେଦୂର ଗଲା, ସେନେଇ ଅନୁଧ୍ୟାନ କରିଛନ୍ତି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସଦସ୍ୟ ପ୍ରଥମେ ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରର cctv ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ତା’ସହ ଲୁଟେରାଙ୍କୁ ତୁରନ୍ତ ଧରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *