ନ୍ୟୁଜ ଡେକ୍ସ : MITS ଭୁବନେଶ୍ୱର ସ୍କୁଲ ଅଫ ବାୟୋଟେକ୍ନୋଲୋଜି ପରିସରରେ ଗତ ୨୯/୧୧/୨୦୨୫ ତାରିଖରେ କୃତିମ ବୁଦ୍ଧିମତ୍ତା (AI) ଦକ୍ଷତା ନିର୍ମାଣ ବିଷୟରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଜି. କେ. ପଣ୍ଡାଙ୍କ ଅଧ୍ୟକ୍ଷତାରେ IBM ଓ NASSCOM ଫାଉଣ୍ଡେସନର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀମାନେ କୃତିମ ବୁଦ୍ଧିମତ୍ତାର ବୈଜ୍ଞାନିକ ଧାରଣା, ଶିଳ୍ପ ପାଇଁ ଆବଶ୍ୟକୀୟ ଦକ୍ଷତା, ଚାକିରି ସୁଯୋଗ ଏବଂ ଭବିଷ୍ୟତରେ AI ର ଚାହିଦା ବିଷୟରେ ଗଭୀର ଜ୍ଞାନ ଅର୍ଜନ କରିଥିଲେ। IBM ଓ NASSCOM ର ବିଶେଷଜ୍ଞମାନେ ବର୍ତ୍ତମାନ ସମୟରେ କୃତିମ ବୁଦ୍ଧିମତ୍ତାର ଗୁରୁତ୍ୱ ଓ ତକନିକୀ ପ୍ରୟୋଗ ସମ୍ପର୍କରେ ଦୃଷ୍ଟିପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ପ୍ରଦର୍ଶନ ମାଧ୍ୟମରେ ବିଭିନ୍ନ କୃତିମ ବୁଦ୍ଧିମତ୍ତା ଉପକରଣ ସହ ପ୍ରାୟୋଗିକ ଅଭ୍ୟାସ କରିଥିଲେ।
ପ୍ରଶ୍ନୋତ୍ତର ଅଧିବେଶନ ମାଧ୍ୟମରେ ସେମାନେ ବ୍ୟବହାରିକ ଅନୁଭୂତି ସହିତ ପ୍ରୟୋଗିକ ଜ୍ଞାନ ହାସଲ କରିଥିଲେ। ଛାତ୍ରଛାତ୍ରୀମାନେ କହିଥିଲେ ଯେ ପୂର୍ବରୁ ପୁସ୍ତକ ମାଧ୍ୟମରେ କୃତିମ ବୁଦ୍ଧିମତ୍ତା ବିଷୟରେ ଜାଣିଥିଲେ, କିନ୍ତୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମଥର ପାଇଁ ବ୍ୟବହାରିକ ଅନୁଭବ ଲାଭ କରିପାରିଛନ୍ତି।MITS ଭୁବନେଶ୍ୱର ସ୍କୁଲ ଅଫ ବାୟୋଟେକ୍ନୋଲୋଜି, ଭୁବନେଶ୍ୱର ସଦା ନୂତନ ଓ ଆଧୁନିକ ଟେକ୍ନୋଲୋଜି ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଜ୍ଞାନକୁ ସଶକ୍ତ କରିବାରେ ଅଗ୍ରଣୀ ଭୂମିକା ନିଭାଇ ଆସୁଛି।
ଏହି ଆଲୋଚନା ଚକ୍ର କେବଳ କୃତିମ ବୁଦ୍ଧିମତ୍ତା ଦକ୍ଷତା ବିକାଶରେ ସାହାଯ୍ୟ କରିନାହିଁ, ବରଂ ଛାତ୍ରଛାତ୍ରୀମାନଙ୍କର ଜ୍ଞାନ, କୌଶଳ ଓ ଆତ୍ମବିଶ୍ୱାସକୁ ମଧ୍ୟ ସୁଦୃଢ କରିଛି।ଅନୁଷ୍ଠାନର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।

