Sun. Feb 22nd, 2026

ନ୍ୟୁଜ ଡେକ୍ସ : ସାଲିଆସାହିରେ ନିର୍ମାଣାଧୀନ ମୁକୁଳା ଡ୍ରେନ୍ ଆଉ ଗୋଟିଏ ନିର୍ଦୋଷ ଜୀବନ କେଢ଼ାଇନେଇଛି। ଡ୍ରେନ୍‌ରେ ଖସିପଡ଼ି ସିନୁ ଗାଗୁରାଇ (୪୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସମଗ୍ର ସାହିରେ ଶୋକ ଓ କ୍ଷୋଭର ପରିବେଶ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ମକର ପର୍ବ ଅବସରରେ ସିନୁ ପଡ଼ୋଶୀ ଘରକୁ ଯାଇଥିଲେ।

ଫେରୁଥିବା ବେଳେ ରାସ୍ତା ପାଖରେ ଖୋଳାଯାଇଥିବା ଗଭୀର ଡ୍ରେନ୍‌କୁ ଧ୍ୟାନ ନଦେଇ ସେଥିରେ ଖସିପଡ଼ିଥିଲେ। ଡ୍ରେନ୍‌ରେ ପଡ଼ିବାରୁ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା।ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲକୁ ନେଇଥିଲେ, ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ସିନୁଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ଘଟଣାକୁ ନେଇ ମୈତ୍ରୀବିହାର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।ସିନୁ ଦିନମଜୁରିଆ ଭାବେ କାମ କରୁଥିଲେ ଏବଂ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ।

ତାଙ୍କ ଅକାଳ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ, ସାଲିଆସାହି ଦେଇ ଯାଉଥିବା ୨୦୦ ଫୁଟିଆ ରାସ୍ତା ନିର୍ମାଣ ପୂର୍ବରୁ ବଡ଼ ଡ୍ରେନ୍ କାମ ଦୁଇ ମାସରୁ ଅଧିକ ସମୟ ଧରି ଚାଲିଥିଲେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ବ୍ୟାରିକେଡ୍ କିମ୍ବା ସୁରକ୍ଷା ବ୍ୟବସ୍ଥା କରାଯାଇନଥିଲା। ଅନ୍ଧାରରେ ଡ୍ରେନ୍ ଦେଖାଯାଇନଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।ଏକ ଜୀବନ ଯାଇବା ପରେ ପୂର୍ତ୍ତ ବିଭାଗ ରାସ୍ତାକୁ ସିଲ୍ କରିଥିଲେ ମଧ୍ୟ, ଏହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସିନୁଙ୍କ ପରିବାରକୁ ସରକାରଙ୍କ ତରଫରୁ ଉପଯୁକ୍ତ କ୍ଷତିପୂରଣ ଓ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *