Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜନ୍ମ ମାଟିରେ ପହଲଗାମ୍ରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକଙ୍କ ମରଶରୀର । ଏହି ଅବସରରେ ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କୁ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଇସାଣୀ ଗାଁରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ଇସାଣୀ ଗାଁରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମୃତ ପ୍ରଶାନ୍ତଙ୍କ ପରିବାର ବର୍ଗଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ମିଳିବ ଚାକିରି ଓ ପୁଅର ପାଠପଢ଼ା ପାଇଁ ସମସ୍ତ ବ୍ୟବସ୍ଥା ସରକାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ପ୍ରଶାନ୍ତଙ୍କ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି। ଗତକାଲି ରାତିରେ ମରଶରୀର ଜମ୍ମୁ-କଶ୍ମୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ଭୁବନେଶ୍ବର ବିମାନବନ୍ଦରରେ ରାତି ପ୍ରାୟ ୧୨ଟା ୩୦ମିନିଟରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର।

ସୂଚନାଯୋଗ୍ୟ ଯେ, ଜାମ୍ମୁ-କାଶ୍ମୀରର ପହଲଗାମ୍ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ କରିଥିଲେ । ଯେଉଁଥିରେ ୨୬ରୁ ଅଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିଲେ । ମୃତ ବାଲେଶ୍ୱର ଜିଲ୍ଲା ଇସାଣୀ ଗାଁର ପ୍ରଶାନ୍ତ ଶତପଥୀ । ସ୍ତ୍ରୀ ଏବଂ ପିଲାଙ୍କ ସହ ପହଲଗାମ୍ ଛୁଟି କାଟିବାକୁ ଯାଇଥିବା ବେଳେ ଆତଙ୍କୀଙ୍କ ଆକ୍ରମଣରେ ଚାଲିଯାଇଥିଲା ଜୀବନ । ପରେ ବୁଧବାର ବିଳମ୍ବିତ ରାତିରେ ପ୍ରଶାନ୍ତଙ୍କ ମୃତଦେହ ଓଡ଼ିଶା ଆସିଥିଲା ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପିସିସି ସଭାପତି ଭକ୍ତ ଦାସଙ୍କ ସହ ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଶେଷ ଦର୍ଶନ କରିଥିଲେ । ଏହାପରେ ମରଶରୀରକୁ ନିଜ ଗାଁ ଅଭିମୁଖେ ନିଆଯାଇଥିଲା । ସେଠାରେ ମୃତଦେହ ପହଞ୍ଚିବା ପରେ ଗାଁଲୋକ ଶେଷ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *