ନ୍ୟୁଜ ଡେକ୍ସ: ୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର । ରାଜ୍ୟରେ ଲାଗୁ ହେବ ଅନ୍ତୋଦୟ ଗୃହ ଯୋଜନା । ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନା । ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ ରାଜ୍ୟ ସରକାର । ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା । ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଏବଂ ବିସ୍ଥାପିତ ଲୋକଙ୍କୁ ସାମିଲ କରାଯିବ ।
ପିଏମ ଆବାସ ଭଳି ଏଥିରେ ମଧ୍ୟ ବୋନସ ପ୍ରଦାନ କରାଯିବ । ୪ ମାସରେ ଘର ସାରିଲେ ୨୦ ହଜାର ବୋନସ ମିଳିବ । ସେହିପରି ୬ ମାସରେ ସାରିଲେ ୧୦ ହଜାର ବୋନସ ମିଳିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଅନ୍ତୋଦୟ ଗୃହ ଯୋଜନା’ ର ମୂଳ ଲକ୍ଷ୍ୟ ।
ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାର, ଭିନ୍ନକ୍ଷମ ବ୍ୟକ୍ତି ମୁଖ୍ୟ ଉପାର୍ଜନକାରୀ ହୋଇଥିବା ପରିବାର, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ଯୋଗ୍ୟ ପରିବାରବର୍ଗଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ ।
