ନ୍ୟୁଜ ଡେକ୍ସ : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବୁର୍ଲା ଗସ୍ତକୁ ନେଇ ସହରରେ ବିଶେଷ ଚଳଚଞ୍ଚଳତା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ ବୁର୍ଲା ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିବେ ବୋଲି କାର୍ଯ୍ୟକ୍ରମ ରହିଛି। ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଏକ ବିଶାଳ ସାଧାରଣ ସଭାରେ ଉଦ୍ବୋଧନ ଦେବେ।ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ସାଧାରଣ ସଭା ହେବାକୁ ଥିବା ପଡ଼ିଆକୁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ବିଭାଗର ବରିଷ୍ଠ ଅଧିକାରୀମାନେ ପରିଦର୍ଶନ କରି ସୁରକ୍ଷା, ଯାତାୟାତ, ମଞ୍ଚ, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି।ଏହି ଗସ୍ତ ସମୟରେ କେଉଁ କେଉଁ ପ୍ରକଳ୍ପର ଶିଳାନ୍ୟାସ ହେବ, ସେନେଇ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ବୁର୍ଲା ଓ ସଂଲଗ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଆଶା ବଢ଼ାଇଛି। ସାଧାରଣ ସଭା ପରେ ମୁଖ୍ୟମନ୍ତ୍ରୀ ଅଶୋକ ନିବାସକୁ ଯାଇ ସେଠାରେ ରାତ୍ରି ଯାପନ କରିବେ ବୋଲି ପୁଲିସ୍ ସୂତ୍ରରୁ ସୂଚନା ମିଳିଛି।
ଏହାକୁ ଦୃଷ୍ଟିରେ ରଖି ବୁର୍ଲା ସହରରୁ ଅଶୋକ ନିବାସ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସ୍ଥାନେ ସ୍ଥାନେ ପୁଲିସ୍ ମୁତୟନ, ରୁଟ୍ ମ୍ୟାପ୍ ଯାଞ୍ଚ ଓ ଯାତାୟାତ ନିୟନ୍ତ୍ରଣ କରାଯାଉଛି।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବୁର୍ଲା ସହର ପୁଣିଥରେ ରାଜ୍ୟ ରାଜନୀତିର ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।

