ନ୍ୟୁଜ ଡେସ୍କ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଆତିଶୀ । ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ଶନିବାର ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିିଥିଲେ । ସୋମବାର ସଚିବାଳୟରେ ପହଞ୍ଚି ସେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି।
କେଜ୍ରିଓ୍ୱାଲଙ୍କ ପାଇଁ ସେ ଆସନ ଖାଲି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ କେଜରିୱାଲଙ୍କ ଚେୟାର ପାର୍ଶ୍ୱରେ ଅନ୍ୟ ଏକ ଚୌକିରେ ବସି ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି। କାର୍ଯ୍ୟାଳୟର ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅତିଶୀ ତାଙ୍କ ପରିସ୍ଥିତି ସହ ରାମାୟଣର ଭାରତଙ୍କ କାହାଣୀ ମଧ୍ୟରେ ସମାନତା ଥିବା କହିଥିଲେ। ଭରତ, ଯିଏକି ସିଂହାସନରେ କଠଉ ରଖି ପ୍ରଭୁ ରାମଙ୍କ ଅନୁପସ୍ଥିତିରେ ଶାସନ କରିଥିଲେ। ‘‘ଆଜି ମୁଁ ଭାରତଙ୍କ ପରି ସମାନ ଭାର ବହନ କରୁଛି।
ସେ ଯେପରି ପ୍ରଭୁ ରାମଙ୍କ କଠଉକୁ ସିଂହାସନରେ ରଖି ଶାସନ କରିଥିଲେ, ମୁଁ ମଧ୍ୟ ସେହି ଆତ୍ମା ସହିତ ଆସନ୍ତା ଚାରିମାସ ପାଇଁ ଦିଲ୍ଲୀ ଶାସନ କରିବି’’ ବୋଲି ସେ କହିଛନ୍ତି। ଏହି ଚୌକି ଅରବିନ୍ଦ କେଜ୍ରିୱାଲଙ୍କର ଅଟେ। ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ। ସେପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିୱାଲଙ୍କ ଏହି ଚୌକି ଏଠାରେ ହିଁ ରହିବ ବୋଲି ଆତିଶୀ କହିଛନ୍ତି।