ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ନେଇ ଏବେ ରାଜ୍ୟରେ ବିବାଦ ତୀବ୍ର ଆକାର ନେଇଛି। ବିଶେଷ କରି ବସ୍ ବ୍ଲକ୍ ମୁଖ୍ୟାଳୟରୁ ସିଧାସଳଖ ଜିଲ୍ଲା ହେଡ୍କ୍ୱାର୍ଟରକୁ ଚଳାଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ନେଇ ଘରୋଇ ବସ୍ ମାଲିକ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏହି ସେବା ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ଘରୋଇ ବସ୍ ମାଲିକମାନେ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଆସନ୍ତା ୨୩ ତାରିଖ ସୁଦ୍ଧା ଯଦି ସରକାର ତାଙ୍କ ଦାବିର ସମାଧାନ ନକରନ୍ତି, ତେବେ ୨୪ ତାରିଖରୁ କଟକ ସହରକୁ କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବସ୍ ସେବା ଘରୋଇ ବସ୍ ମାଲିକଙ୍କ ରୋଜଗାର ଉପରେ ସିଧାସଳଖ ପ୍ରଭାବ ପକାଉଛି। ବିଶେଷ କରି ବ୍ଲକ୍ ଓ ଜିଲ୍ଲା ମଧ୍ୟରେ ଚଳାଚଳ କରୁଥିବା ରୁଟ୍ଗୁଡ଼ିକରେ ଘରୋଇ ବସ୍ ଗୁଡ଼ିକ ଭାରି କ୍ଷତି ସହିବାକୁ ପଡୁଛି। ଏହି କାରଣରୁ ସଂଘ ସରକାରଙ୍କୁ ପୁନଃବିଚାର ପାଇଁ ଅନୁରୋଧ କରୁଛି।
ଏହି ବିଷୟକୁ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଜରୁରୀ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ୮ଟି ଜିଲ୍ଲାର ୧୮ଟି ବସ୍ ଆସୋସିଏସନର ପ୍ରତିନିଧିମାନେ ସାମିଲ ହୋଇ ଆଗାମୀ କାର୍ଯ୍ୟପଥ ନେଇ ଆଲୋଚନା କରିଥିଲେ। ବୈଠକରେ ସରକାର ଦାବି ମାନିନେଲେ ନାହିଁ ହେଲେ, ଆବଶ୍ୟକ ପଡିଲେ ସାରା ରାଜ୍ୟରେ ଘରୋଇ ବସ୍ ଧର୍ମଘଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଏହି ଚେତାବନୀ ପରେ ଯାତ୍ରୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ, ସରକାର ଏହି ବିବାଦର କିଭଳି ସମାଧାନ କରିବେ, ସେଥିପାଇଁ ସମସ୍ତଙ୍କ ନଜର ଏବେ ୨୩ ତାରିଖ ଉପରେ ରହିଛି।

