Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫୪ତମ ଜନ୍ମଦିନ। ଏହି ପାବନ ଅବସରରେ ସମଗ୍ର ରାଜ୍ୟ ସହ ଦେଶର ବିଭିନ୍ନ ନେତା, କାର୍ଯ୍ୟକର୍ତ୍ତା ଓ ସମର୍ଥକମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଜନ୍ମଦିନ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ବିକାଶ ପାଇଁ ନିରନ୍ତର ଭାବେ କାମ କରୁଛନ୍ତି। ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟବୋଧ ରାଜ୍ୟକୁ ଆଗକୁ ନେବାରେ ସହାୟକ ହେବ।

ଯୁବପୀଢିଙ୍କୁ ସଶକ୍ତ କରିବା ଦିଗରେ ତାଙ୍କର ପ୍ରୟାସ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜୀବନ ଗାଥା ସଂଘର୍ଷ ଓ ସଫଳତାର ଏକ ଉଦାହରଣ। ୧୯୮୭ ମସିହାରେ ସେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରି ଆନନ୍ଦନପୁର କଲେଜରେ ନାମ ଲେଖାଇଥିଲେ। ୧୯୯୦ ମସିହାରେ ସେହି କଲେଜରୁ ସ୍ନାତକ ପାଠ ପଢା ସମାପ୍ତ କରିଥିଲେ। ପରେ ଝୁମ୍ପୁରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ରାଜନୀତି ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଏହି କ୍ଷେତ୍ରକୁ ଆଣିଥିଲା। ରାଜନୈତିକ ଜୀବନରେ ସେ ପ୍ରଥମେ ରାଇକଲାରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ପରେ ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ।

୨୦୦୦ ମସିହାରେ କେନ୍ଦୁଝର ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ରାଜନୀତିରେ ନିଜ ପଦଚିହ୍ନ ଛାଡ଼ିଥିଲେ। ୨୦୦୪ ମସିହାରେ ଦ୍ୱିତୀୟ ଥର ପାଇଁ ବି ସେହି ଆସନରୁ ବିଜୟୀ ହୋଇଥିଲେ।ହେଲେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ପରାଜୟ ସାମ୍ନା କରିଥିଲେ ମଧ୍ୟ ମୋହନ ମାଝୀ ହାର ମାନିନଥିଲେ। ୨୦୧୯ରେ ସେ ପୁଣି ସେହି ଆସନରୁ ବିଜୟୀ ହୋଇ ବିଧାନସଭାକୁ ପ୍ରବେଶ କରିଥିଲେ ଏବଂ ବିରୋଧୀ ଦଳ ନେତା ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

ଶେଷରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ରେକର୍ଡ ସଂଖ୍ୟକ ବିଜୟ ହାସଲ କରି ୧୪୭ ଆସନରୁ ୭୮ଟି ଆସନ ଜିତି ସରକାର ଗଢିଥିଲା। ଦୀର୍ଘ ବର୍ଷ ଧରି ଶାସନରେ ଥିବା ବିଜେଡିକୁ ପରାସ୍ତ କରି ବିଜେପି କ୍ଷମତାକୁ ଆସିଥିଲା ଏବଂ ମୋହନ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ୱରେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶା ବ୍ୟକ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *