Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିନିକିଆ ଗସ୍ତରେ ରାୟଗଡା ଜିଲ୍ଲାକୁ ଆସୁଛନ୍ତି। ଏହି ଗସ୍ତ ଜିଲ୍ଲାର ବିକାଶ ଦୃଷ୍ଟିରୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ଦେଖାଯାଉଛି। ଦିନ ସାଢେ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ଜି.ଆଇ.ଏସ.ଆର. ନିକଟସ୍ଥ ଯେସ୍କ ପଡ଼ିଆରେ ପହଞ୍ଚିବେ। ସେଠାରେ ପ୍ରଥମେ ୧୦୮ କୁଣ୍ଡିଆ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦେଇ ପୂର୍ଣ୍ଣାହୁତି ପ୍ରଦାନ କରିବେ।

ଏହା ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ନାରୀଶକ୍ତିଙ୍କ ସଶକ୍ତ ପ୍ରଦର୍ଶନ ଭାବେ ପରିଚିତ ‘ସୁଭଦ୍ରା ଶକ୍ତି ମେଳା’ର ଉଦ୍ଘାଟନ କରିବେ। ଏହି ମେଳା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ମହିଳାମାନଙ୍କୁ ଆର୍ଥିକ ସହାୟତା, ଉତ୍ସାହ ଏବଂ ସମ୍ମାନ ପ୍ରଦାନ କରାଯିବ। ଏହି ମେଳା ୨ ଫେବ୍ରୁଆରୀରୁ ୮ ଫେବ୍ରୁଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୨୦ଟି ଷ୍ଟଲ୍ ସ୍ଥାପିତ ହୋଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାଙ୍କ ଉତ୍ପାଦ ଓ ସେବା ପ୍ରଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଗସ୍ତ ସମୟରେ ରାୟଗଡା ଜିଲ୍ଲା ପାଇଁ ବଡ଼ ଉନ୍ନୟନ ପ୍ୟାକେଜ ଘୋଷଣା କରିବେ। ସେ ୩୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୬୭ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୨୨୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୪୧ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ।

ଏହି ସମସ୍ତ ପ୍ରକଳ୍ପ ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ ଉନ୍ନତିରେ ନୂଆ ଦିଗଦର୍ଶନ ପ୍ରଦାନ କରିବ ବୋଲି ଆଶା କରାଯାଉଛି।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍. କୁମାର ସମସ୍ତ କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ରାୟଗଡା ଜିଲ୍ଲା ପାଇଁ ବିକାଶ, ନାରୀ ସଶକ୍ତିକରଣ ଏବଂ ନୂତନ ସୁଯୋଗର ଦ୍ୱାର ଖୋଲିବ ବୋଲି ସାଧାରଣ ଲୋକ ଓ ପ୍ରଶାସନ ଆଶା ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *