Thu. Oct 23rd, 2025

ନ୍ୟୁଜ ଡେକ୍ସ: ଚଳିତ ରବି ଋତୁରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି ।

ଭିଡିଓ କନଫରେନସିଂ ମାଧ୍ୟମରେ ସଂପୃକ୍ତ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଯୋଗ ଦେଇଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଧାନକିଣା ପାଇଁ ପ୍ରଶାସନିକ ଓ ବୈଷୟିକ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ସୂଚନା ଅନୁଯାୟୀ, ଗତ ଖରିଫ୍‌ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନ୍‌ପୁଟ୍‌ ସହାୟତା ବାବଦକୁ ୫ ହଜାର ୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଚଳିତ ରବି ଋତୁ ପାଇଁ ଆସନ୍ତା ମଇ ୧ ତାରିଖରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଧାନକିଣା ଆରମ୍ଭ ହେବ।

ଏଥିରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏଥିନିମନ୍ତେ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୨୨ ପ୍ରତିଶତ ଅଧିକ ରହିଛି। ଚଳିତ ବର୍ଷ କନ୍ଧମାଳ, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ନୂତନ ଭାବେ ଧାନକିଣା ଆରମ୍ଭ ହେଉଥିବା ବେଳେ ରବି ଋତୁରେ ମୋଟ୍‌ ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ହେବ। ଏଥିରେ ମଧ୍ୟ ୨୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ସାମିଲ ହେବେ।

Leave a Reply

Your email address will not be published. Required fields are marked *