ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶନିବାର ଦିନ ଭେଟିଲେ ଆମେରିକାର ନବନିୟୁକ୍ତ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍। ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏହି ସଭା ମଧ୍ୟରେ ଦୁଇ ଦେଶ ମଧ୍ୟରେ ବୈଶ୍ୱିକ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି, “ସେର୍ଗିଓ ଗୋର୍ଙ୍କ ସହ ଭେଟି ଆନନ୍ଦିତ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ଆମେରିକା ସହଯୋଗ ଆହୁରି ମଜବୁତ ହେବ ବୋଲି ଆଶା କରୁଛି।”ଏହି ସମୟରେ ସେର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀଙ୍କୁ ଏକ ବିଶେଷ ଉପହାର ଦେଇଥିଲେ — ଯେଉଁଥିରେ ଫେବୃଆରୀ ମାସରେ ହ୍ୱାଇଟ୍ ହାଉସ୍ରେ ଭାରତୀୟ ପ୍ରଧାନମନ୍ତ୍ରୀ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀର ଫଟୋ ଥିଲା। ସେହି ଫଟୋରେ ଟ୍ରମ୍ପଙ୍କ ହସ୍ତାକ୍ଷର ସହ ଲେଖା ଥିଲା — “ପ୍ରଧାନମନ୍ତ୍ରୀ, ଆପଣ ମହାନ ଅଟନ୍ତି।”
ସେର୍ଗିଓ ଗୋର୍କୁ ସେନେଟ୍ ଦ୍ୱାରା ଭାରତର ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ଅନୁମୋଦନ ମିଳିଛି। ସେ ବର୍ତ୍ତମାନ ପରିଚାଳନା ଏବଂ ସମ୍ବଳ ବିଭାଗର ଉପସଚିବ ମାଇକେଲ୍ ଜେ. ରିଗାସଙ୍କ ସହିତ ୬ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଏହି ନୂତନ ଦାୟିତ୍ୱ ପାଇଁ ବିଦେଶମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
