ନ୍ୟୁଜ ଡେକ୍ସ : ବାତ୍ୟା ‘ମୋନ୍ଥା’ ର ପ୍ରଭାବରେ ଓଡ଼ିଶାରେ ଆସନ୍ତା ଦୁଇ ଦିନ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି। ଆଜି ଓ ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ଭୀଷଣରୁ ଅତି ଭୀଷଣ ବର୍ଷା ପୂର୍ବାଭାସ ଜାରି କରିଛି। ବିଶେଷ କରି ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ବାତ୍ୟାର ପ୍ରଭାବ ସର୍ବାଧିକ ଦେଖାଯିବ।ଆଜି ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।
ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଅତ୍ୟନ୍ତ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ‘ମୋନ୍ଥା’ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଏବଂ ଏହା ଗୋପାଳପୁରଠାରୁ ପ୍ରାୟ ୫୧୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ। ସେ ଅଧିକ କହିଛନ୍ତି ଯେ, ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା କାକିନାଡା ଓ ମଛଲିପାଟନମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ବାତ୍ୟାର ବେଗ ୯୦ରୁ ୧୦୦ କି.ମି./ଘଣ୍ଟା ହେବା ସହ ଝଟକା ପବନ ୧୧୦ କି.ମି./ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ। ବାତ୍ୟା ଅତିକ୍ରମ କରିବା ପରେ ଓଡ଼ିଶାରେ ବର୍ଷା ଆହୁରି ବୃଦ୍ଧି ପାଇବ।
ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ପବନ ଓ ବର୍ଷାର ପ୍ରଭାବ ଦେଖାଯିବ।ଏହା ସହିତ ଆଜି ପାଇଁ ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।ଆସନ୍ତାକାଲି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ପୁଣିଥରେ ରେଡ୍ ଆଲର୍ଟ ଜାରି ହୋଇଛି।
ଅନ୍ୟପଟେ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଜୋନ୍ ଭିତରେ ରଖାଯାଇଛି।ପାଣିପାଗ ବିଭାଗ ଜନସାଧାରଣଙ୍କୁ ସତର୍କ ରହିବା, ନିମ୍ନାଞ୍ଚଳ ଅଞ୍ଚଳରେ ବାସିନ୍ଦାମାନେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ଓ ସମୁଦ୍ର ଅଞ୍ଚଳରେ ମାଛ ଧରିବାକୁ ନ ଯିବା ପାଇଁ ସଚେତନ କରିଛି।

