ନ୍ୟୁଜ ଡେକ୍ସ: ମୋମୋ ଖାଇବା ପରେ ଚାଲିଗଲା ୩୧ବର୍ଷୀୟ ମହିଳାଙ୍କ ଜୀବନ। ୧୫ଜଣ ଅସୁସ୍ଥ ହୋଇଥିବା ନେଇ ସୂଚନା। ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଘଟିଛି ଏଭଳି ଘଟଣା। ଏବେ ପୁଲିସ ଏହି ଘଟଣାର ଯାଞ୍ଚ କରୁଛି। ସୂଚନା ମିଳିଛି ଯେ, ଅସୁସ୍ଥ ହୋଇଥିବା ଲୋକମାନେ ସମାନ ଦୋକାନରୁ ମୋମୋ ଖାଇଥିଲେ ।
ଚାହିଦାକୁ ନଜରରେ ବଜାରରେ ଭଳି କି ଭଳି ଭେରାଇଟିର ମୋମୋ ବିକ୍ରି ହୁଏ। ତେବେ ଏହି ମୋମୋ ଖାଇବା ଏବେ କିଛି ଜଣଙ୍କୁ ମହଙ୍ଗା ପଡ଼ିଛି। ମୋମୋ ଖାଇ ଚାଲି ଯାଇଛି ଜଣଙ୍କ ଜୀବନ। ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା। ତେବେ ସୂଚନା ମୁତାବକ, ମୃତ ମହିଳା ଏବଂ ଅସୁସ୍ଥ ହୋଇଥିବା ଲୋକମାନେ ‘ଦିଲ୍ଲୀ ମୋମୋସ୍’ ନାମକ ଏକ ଖାଦ୍ୟ ଷ୍ଟଲରୁ ମୋମୋ ଖାଇଥିଲେ। ଚିନ୍ତଲ ବସ୍ତିରେ ଅବସ୍ଥିତ ଏହି ଷ୍ଟଲଟି ପ୍ରାୟ ତିନିମାସ ପୂର୍ବେ ବିହାରରୁ ଆସିଥିବା ୬ଜଣ ବ୍ୟକ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏବେ ଏହି ଷ୍ଟଲ ଚଳାଉଥିବା ଲୋକଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।
ମୃତ ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ମୋମୋ ଖାଇ ଘରକୁ ଫେରିବା ପରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସିତ ଅବସ୍ଥାରେ ତାଙ୍କର ସୋମବାର ମୃତ୍ୟୁ ହୋଇଥିଲା। ମହିଳାଙ୍କ ମୃତ୍ୟୁ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଯାଞ୍ଚ କରିବାରୁ ଅଭିଯୁକ୍ତଙ୍କ ପାଖରେ ଷ୍ଟଲ ଖୋଲିବା ପାଇଁ ବୈଧ ଲାଇସେନ୍ସ ନଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ଲାଇସେନ୍ସ ନଥିବା ରାସ୍ତାକଡ଼ର ଷ୍ଟଲରୁ ଖାଦ୍ୟ ଖାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।