Mon. Feb 23rd, 2026

ନ୍ୟୁଜ ଡେକ୍ସ : ମୟୂରଭଞ୍ଜ ଜିଲ୍ଲାର ବାଇଗଣବାଡ଼ିଆ ସ୍ଥିତ ବି.ବି. ମହାବିଦ୍ୟାଳୟ ପରିସରରେ ଘଟିଥିବା ଏକ ଛୁରାମାଡ଼ ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ଯୁକ୍ତ–୨ ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗର ଛାତ୍ର ପ୍ରହ୍ଲାଦ ବିନ୍ଧାଣିଙ୍କୁ ଆଉ ଜଣେ ଛାତ୍ର ଛୁରାମାଡ଼ କରି ଗୁରୁତର ଆହତ କରିଥିବା ସୂଚନା ମିଳିଛି।ଏହି ଆକସ୍ମିକ ଆକ୍ରମଣରେ ପ୍ରହ୍ଲାଦଙ୍କ ଶରୀରରେ ଗଭୀର କ୍ଷତ ହେବା ସହ ତାଙ୍କର ଅନ୍ତଃନଳୀ ବାହାରି ଯାଇଥିଲା।

ଘଟଣା ପରେ ସହପାଠୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ପରେ କଟକ ସ୍ଥାନାନ୍ତର କରାଯାଇଛି।ଘଟଣା ପରେ କଲେଜ ପରିସର ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି।

ଏପରି ଅଶାନ୍ତ ପରିବେଶକୁ ସ୍ଥାନୀୟ ଲୋକେ ଗ୍ରହଣ କରିନପାରି କଲେଜ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଛୁରାମାଡ଼ କରିଥିବା ଅଭିଯୁକ୍ତ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ କୁଳିଅଣା ପୋଲିସର ଜିମାରେ ଦେଇଥିବା ବେଳେ, ପୋଲିସ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ସାରା ଅଞ୍ଚଳରେ ତୀବ୍ର ଆତଙ୍କ ଓ ଛାତ୍ର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

Leave a Reply

Your email address will not be published. Required fields are marked *