ନ୍ୟୁଜ ଡେକ୍ସ : ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଆସିଛି ଏକ ବଡ଼ ସୁସମ୍ବାଦ। ଜିଲ୍ଲାର ପ୍ରମୁଖ ସ୍ଥାନ ଯଶୀପୁରକୁ ଏଣିକି ବିଜ୍ଞପିତ ଅଞ୍ଚଳ ପରିଷଦ (ଏନଏସି) ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଏନେଇ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।ଭାରତୀୟ ସମ୍ବିଧାନର ଧାରା ୨୪୩-କ୍ୟୁ ଏବଂ ଓଡ଼ିଶା ପୌର ଆଇନ, ୧୯୫୦ ଅନୁଯାୟୀ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଯଶୀପୁରକୁ ଏହି ନୂତନ ପରିଷଦ ମାନ୍ୟତା ମିଳିଛି।
ଯଶୀପୁର ଓ ତାହାର ଆଖପାଖ ଅଞ୍ଚଳକୁ ନେଇ ଏକ ସଂକ୍ରମଣକାଳୀନ ଅଞ୍ଚଳ ଗଠନ କରାଯାଇ ଏନଏସି ସ୍ଥାପନା କରାଯାଇଛି। ଓଡ଼ିଶା ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ। ଏହି ଐତିହାସିକ ନିଷ୍ପତ୍ତି ପରେ ସମଗ୍ର ଯଶୀପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ବିମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
ଏନଏସି ମାନ୍ୟତା ମିଳିବା ପରେ ଯଶୀପୁର ଅଞ୍ଚଳରେ ଯୋଜନାବଦ୍ଧ ସହରୀୟ ବିକାଶ, ଉନ୍ନତ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ରାସ୍ତାଘାଟ, ଆଲୋକୀକରଣ ଓ ନାଗରିକ ସେବାରେ ବ୍ୟାପକ ସୁଧାର ଆସିବ ବୋଲି ଆଶା କରାଯାଉଛି। ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବଙ୍କ ସ୍ୱାକ୍ଷରିତ ଏହି ବିଜ୍ଞପ୍ତି ଯଶୀପୁରର ଉନ୍ନତି ଯାତ୍ରାରେ ଏକ ନୂଆ ଅଧ୍ୟାୟ ଯୋଗ କରିଛି।

