ନ୍ୟୁଜ ଡେକ୍ସ : ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ଲୋକପ୍ରିୟ ନାୟିକା ସୋନାଲି ପଣ୍ଡାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୋନାଲିଙ୍କ ଲିଖିତ ଅଭିଯୋଗ ଆଧାରରେ ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ଅଞ୍ଚଳରୁ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ନୂଆପଡ଼ା ପଞ୍ଚାୟତ ଖଟିସାହି ଗ୍ରାମର ଶ୍ରୀକ୍ଷେତ୍ର ସାମନ୍ତସିଂହାର ୨୦୧୪ ମସିହାରେ କୃଷ୍ଣପ୍ରସାଦ ପଞ୍ଚାୟତ ସାନଅଁଳ ଗ୍ରାମର କାଗଜି ପଲେଇ ଓରଫ ସୋନାଲି ପଣ୍ଡାଙ୍କୁ ଭଲପାଇ ବିବାହ କରିଥିଲେ ବୋଲି ପୂର୍ବରୁ ଖବର ଥିଲା।ତେବେ ପ୍ରାୟ ୨ ମାସ ପୂର୍ବରୁ ସୋନାଲି କୃଷ୍ଣପ୍ରସାଦ ଥାନାରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗରେ ସେ କହିଥିଲେ ଯେ, ସେ ଯେତେବେଳେ ନାବାଳିକା ଥିଲେ ସେ ସମୟରେ ଶ୍ରୀକ୍ଷେତ୍ର ତାଙ୍କୁ ଜୋର-ଜବରଦସ୍ତି ବିବାହ କରିଥିଲେ ଓ ବିବାହ ପାଇଁ ତାଙ୍କର କୌଣସି ଇଚ୍ଛା ନଥିଲା। ଏହି ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ପରେ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରିଛି। ଏହି ଗିରଫ ପଛରେ କିଛି ଯାତ୍ରା ମାଲିକଙ୍କ ଷଡ଼ଯନ୍ତ୍ର ଥାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ଯାତ୍ରା ଜଗତ ସହ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ଚାଲିଛି।

