ନ୍ୟୁଜ ଡେକ୍ସ : କଟକର ପ୍ରସିଦ୍ଧ ରଘୁ ଦହିବରା ମାଲିକ ରଘୁନାଥ ସାଶମଲଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି।କଟକ ବିଡାନାସୀ ସ୍ଥିତ ଗୋପାଳସାହି ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କର ବିୟୋଗରେ କଟକ ସହର ତଥା ସାରା ଓଡ଼ିଶାର ଖାଦ୍ୟପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
କଟକ ଏବଂ ବାହାରେ ଦହି ବରା-ଆଳୁଦମ ଖାଦ୍ୟକୁ ଲୋକପ୍ରିୟ କରିବାରେ ତାଙ୍କର ଅଗ୍ରଣୀ ଭୂମିକା ରହିଥିଲା।ଦହିବରା, ଏହା କେବଳ ଏକ ଖାଦ୍ୟ ନୁହେଁ ବରଂ ଏହା ହେଉଛି କଟକର ପରିଚୟ । କଟକରେ ତ ଅନେକ ଦହିବରା ବିକ୍ରି ହୁଏ ହେଲେ ରଘୁ ଦହିବରାର ସ୍ୱାଦ ନିଆରା । ସେଥିପାଇଁ ତ ଓଡ଼ିଶାର ସୀମା ଡେଇଁ ୨୦୧୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ “ଓଡ଼ିଶା ପର୍ବ”ରେ ମଧ୍ୟ ଯୋଗ ଦେଇ ନିଜ ଦହିବରାର ସ୍ୱାଦ ସାରା ଭାରତକୁ ଚଖାଇଥିଲେ ରଘୁ ।
୧୯୫୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ଦହିବରା ଆଳୁଦମ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇବାରେ ତାଙ୍କର ବିଶେଷ ଭୂମିକା ଥିଲା। ସେ ମସଲାଯୁକ୍ତ ଆଳୁଦମ ସହିତ ନରମ ଦହିବରା ପ୍ରସ୍ତୁତ କରିଥିଲେ। ତାଙ୍କ ହାତ ଛୁଆଁରେ ଏହାର ସ୍ଵାଦ ଆହୁରି ବଢ଼ିଯାଇଥିଲା। ଅପରପକ୍ଷରେ ୨୦୧୭ ମସିହାରେ ରଘୁ ଦହିବରା ନୂଆଦିଲ୍ଲୀର ଓଡ଼ିଶା ପର୍ବରେ ରାଜ୍ୟରୁ ପ୍ରତିନିଧିତ୍ୱ କରି ଓଡ଼ିଶା ବାହାରେ ମଧ୍ୟ ଚହଳ ସୃଷ୍ଟି କରିଥିଲେ।
