ନ୍ୟୁଜ ଡେକ୍ସ : ଡିସେମ୍ବର ୫ ତାରିଖରେ ମୁକ୍ତିଲାଭ କରିଥିବା ରଣବୀର ସିଂହଙ୍କ ଅଭିନୀତ ଓ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ ଥ୍ରୀଲର ଚଳଚ୍ଚିତ୍ର ‘ଧୁରନ୍ଧର’ ବକ୍ସଅଫିସରେ ଐତିହାସିକ ସଫଳତା ହାସଲ କରିଛି। କମ୍ ପ୍ରଚାର ସତ୍ତ୍ୱେ ମଧ୍ୟ ଚଳଚ୍ଚିତ୍ରଟି ମୁକ୍ତିର ମାତ୍ର ୨୧ ଦିନ ମଧ୍ୟରେ ୧୦୦୦ କୋଟି କ୍ଲବରେ ସାମିଲ ହୋଇ ୨୦୨୫ର ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ଭାବେ ଉଭୟ ପ୍ରଶଂସା ଓ ସଫଳତା ଅର୍ଜନ କରିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ‘ଧୁରନ୍ଧର’ ବିଶ୍ୱବ୍ୟାପୀ ପ୍ରାୟ ୧୦୦୬.୭ କୋଟି ଟଙ୍କା ଆୟ କରିସାରିଥିବା ସୂଚନା ମିଳିଛି। ଆଗାମୀ ଦିନରେ ଫିଲ୍ମଟି ଆଉ କେତେ ଆୟ କରିପାରିବ, ସେନେଇ ସିନେମା ପ୍ରେମୀଙ୍କ ମଧ୍ୟରେ ଭାରି ଉତ୍ସୁକତା ଦେଖାଯାଉଛି।ଭାରତୀୟ ସିନେମା ଇତିହାସରେ ୧୦୦୦ କୋଟି କ୍ଲବରେ ସାମିଲ ହୋଇଥିବା ପ୍ରଥମ ଚଳଚ୍ଚିତ୍ର ଥିଲା ଏସଏସ୍ ରାଜମୌଲିଙ୍କ ‘ବାହୁବଳୀ ୨: ଦି କନକ୍ଲୁଜନ’ (୨୦୧୭), ଯାହା ବିଶ୍ୱବ୍ୟାପୀ ୧୭୮୮.୦୬ କୋଟି ଆୟ କରିଥିଲା। ସେହିପରି ଆମିର ଖାନ ଓ ନିତେଶ ତିୱାରୀଙ୍କ ‘ଦଙ୍ଗଲ୍’ (୨୦୧୬) ଚୀନରେ ମୁକ୍ତି ପରେ ୨୦୭୦ କୋଟି ଆୟ କରି ୨୦୦୦ କୋଟି କ୍ଲବରେ ପ୍ରବେଶ କରିଥିବା ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ଆଜି ବି ରେକର୍ଡ ଧାରଣ କରିଛି।
ଏହା ବ୍ୟତୀତ ୧୦୦୦ କୋଟି କ୍ଲବରେ ସାମିଲ ଅନ୍ୟାନ୍ୟ ଚଳଚ୍ଚିତ୍ର ମଧ୍ୟରେ ଅଛି—୨୦୨୨ରେ ମୁକ୍ତିଲାଭ କରିଥିବା ରାଜମୌଲିଙ୍କ ‘RRR’ (୧୨୩୦ କୋଟି),ପ୍ରଶାନ୍ତ ନୀଲଙ୍କ ‘KGF-2’ (୧୨୧୫ କୋଟି),୨୦୨୩ର ଆଟଲିଙ୍କ ‘ଜବାନ’ (୧୧୬୦ କୋଟି) ଓସିଦ୍ଧାର୍ଥ ଆନନ୍ଦଙ୍କ ‘ପଠାଣ’ (୧୦୫୫ କୋଟି)।ସେହିପରି ୨୦୨୪ରେ ମୁକ୍ତିଲାଭ କରିଥିବା ନାଗ ଅଶ୍ୱିନଙ୍କ ‘କଳକି ୨୮୯୮ AD’ ବିଶ୍ୱବ୍ୟାପୀ ୧୦୪୨.୨୫ କୋଟି ଆୟ କରିଥିଲା।ଏହି ସଫଳତା ସହ ‘ଧୁରନ୍ଧର’ ନିଜ ନାମକୁ ଭାରତୀୟ ସିନେମାର ସୁନା ଅଧ୍ୟାୟରେ ଲେଖିଦେଇଛି।

