ନ୍ୟୁଜ ଡେକ୍ସ : ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟ ପ୍ରକାଶ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରତ୍ନଭଣ୍ଡାର ସହ ସଂପୃକ୍ତ ସମସ୍ତ ରତ୍ନାଳଙ୍କାରର ଗଣତି ଓ ମଣତି ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୂତନ ଗଣତି–ମଣତି ରିପୋର୍ଟକୁ ୧୯୭୮ ମସିହାର ପୂର୍ବତନ ଇନଭେଣ୍ଟରି ରିପୋର୍ଟ ସହ ମେଳାଇ ଯାଞ୍ଚ କରାଯିବ।
ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ରତ୍ନଭଣ୍ଡାର ଚାବି ହଜିବା ଘଟଣା ମାତ୍ର ଏକ ପ୍ରଶାସନିକ ତ୍ରୁଟି ନୁହେଁ, ବରଂ ଏହା ମହାପ୍ରଭୁଙ୍କ ମୂଲ୍ୟବାନ ସମ୍ପତ୍ତିର ସୁରକ୍ଷା ସହ ଜଡିତ ଗଭୀର ପ୍ରସଙ୍ଗ। ତେଣୁ ଏହି ବିଷୟରେ ଆଉ ଆଳସ୍ୟ ନଦେଖାଇ ସରକାର ତତ୍ପରତା ସହ କାର୍ଯ୍ୟ କରିବାକୁ କୋର୍ଟ ତାଗିଦ କରିଛନ୍ତି। ଏହାସହ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟକୁ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରାଯାଉ। ଏହି ରିପୋର୍ଟ ୨୦୧୮ ମସିହାରୁ ସରକାରଙ୍କ ପାଖରେ ରହିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ବିଧାନସଭାରେ ରଖାଯାଇନଥିବା ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆସନ୍ତା ବିଧାନସଭା ଅଧିବେଶନରେ ଏହି ରିପୋର୍ଟ ଉପସ୍ଥାପନ କରିବାକୁ କୋର୍ଟ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।ହାଇକୋର୍ଟ ଆହୁରି କହିଛନ୍ତି ଯେ ଗଣତି–ମଣତି ଓ କମିଟି ରିପୋର୍ଟ ସଂପର୍କିତ ସମସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉ ଓ କେଉଁସି ପ୍ରକାର ଆଳସ୍ୟ ଦେଖାଯାଉ ନାହିଁ। ଆସନ୍ତା ୩ ମାସ ପରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ସରକାର ଏହି ସମସ୍ତ କାର୍ଯ୍ୟର ସଂପୂର୍ଣ୍ଣ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଏହି ରାୟ ପରେ ରତ୍ନଭଣ୍ଡାର ଓ ମହାପ୍ରଭୁଙ୍କ ରତ୍ନାଳଙ୍କାର ସୁରକ୍ଷାକୁ ନେଇ ଚର୍ଚ୍ଚା ଆଉ ତେଜ ହୋଇଯାଇଛି ଏବଂ ସରକାରଙ୍କ ଉପରେ ଏବେ ବଡ଼ ଦାୟିତ୍ୱ ଆସି ପଡ଼ିଛି।

