ନ୍ୟୁଜ ଡେକ୍ସ: ରଥଯାତ୍ରା ଅଘଟଣରେ ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଘଟଣାର କେଇଟା ଘଣ୍ଟାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଦଳିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି । ପୁଣି ପୁରୀକୁ ଫେରିଲେ ପିନାକ ମିଶ୍ର । ପିନାକ ମିଶ୍ର ହେଲେ ପୁରୀ ଏସପି । ସେହିପରି ଚଞ୍ଚଳ ରାଣା ହୋଇଛନ୍ତି ପୁରୀ ଜିଲ୍ଲାପାଳ । ଏଥିସହିତ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏନେଇ ନିଜ ଏକ୍ସରେ ମଧ୍ୟ ସେ ସୂଚନା ଦେଇଛନ୍ତି । ଏହାବ୍ୟତୀତ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ସରକାର ରଥଯାତ୍ରା ସମୟରେ ଅବହେଳା ପାଇଁ ତଦନ୍ତ ପର୍ଯ୍ୟନ୍ତ ସିଧା ସସ୍ପେଣ୍ଡ୍ କରିଛନ୍ତି । ଆଉ ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ପରିଚାଳନାର ଅତିରିକ୍ତ ଦାୟିତ୍ବ ମିଳିଛି। ସେ ବର୍ତ୍ତମାନ ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ତୁଲାଉଥିବା ବେଳେ ବର୍ତ୍ତମାନ ତାହା ସହ ରଥଯାତ୍ରା ନସରିବା ପର୍ଯ୍ୟନ୍ତ ରଥ ପରିଚାଳନା ଦାୟିତ୍ବ ମଧ୍ୟ ତୁଲାଇବେ । ସୁପରଭିଜନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ସୂଚନାଯୋଗ୍ୟ, ଆଜି ସକାଳେ ଶରଧାବାଲିରେ ଠେଲାପେଲା ଭଳି ସ୍ଥିତି ଉପୁଜିଥିବାରୁ ୩ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।
ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିଲା । ଭୋର ପ୍ରାୟ ୪ଟା ୨୦ରେ ଏହି ଅଘଟଣ ଘଟିଥିଲା । ତେବେ ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଠେଲାପେଲା ପରି ପରିସ୍ଥିତି ଉପୁଜିଥିଲା । ଠେଲାପେଲାରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଭକ୍ତଙ୍କ ଭିଡ଼ ଭିତରେ ଚାରମାଳ କାଠ ବୋଝେଇ ଟ୍ରକ ପଶିଥିବାରୁ ଏପରି ସ୍ଥିତି ଉପୁଜିଥିଲା ।
