ନ୍ୟୁଜ ଡେକ୍ସ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ୨୦୨୬ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଦାରୁଦିଅଁଙ୍କ ରଥତ୍ରୟ ନିର୍ମାଣ ପାଇଁ ଆବଶ୍ୟକ କାଠ ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ସୋମବାର ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନର ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲ୍ଲାକୁ ଯାତ୍ରା କରିଛନ୍ତି।ଏହି ଦଳ ସହିତ ଶ୍ରୀବିଗ୍ରହଙ୍କ ନିମନ୍ତେ ଖଣ୍ଡୁଆ ଓ ପତନି ବସ୍ତ୍ର, ମାଳ, ମାହାର୍ଦ୍ଦ, ଶ୍ରୀଫଳ, ଦୀପ-ଧୂପ ସହିତ ଆବଶ୍ୟକୀୟ ପୂଜା ସାମଗ୍ରୀ ନେଇଯାଇଛନ୍ତି।
ପରମ୍ପରା ଅନୁସାରେ ମଙ୍ଗଳବାର ବଡ଼ମୂଳସ୍ଥିତ ମା’ ବଡ଼ରାଉଳ ଠାକୁରାଣୀଙ୍କୁ ବିଧିବତ ପୂଜାର୍ଚ୍ଚନା କରାଯିବ। ଠାକୁରାଣୀଙ୍କ କୃପା ଲାଭ ପରେ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।ସୋମବାର ଅପରାହ୍ଣ ୩ଟାରେ ଶ୍ରୀମନ୍ଦିର ପ୍ରଶାସନର ଭାରପ୍ରାପ୍ତ ଅଧିକାରୀ (ନୀତି) ରବୀନ୍ଦ୍ରନାଥ ଦାସଙ୍କ ନେତୃତ୍ୱରେ ସହକାରୀ ପ୍ରଶାସକ ପ୍ରଭୁପିୟୁଷ ମହାପାତ୍ର, କୋଷାଧ୍ୟକ୍ଷଙ୍କ ଭାରପ୍ରାପ୍ତ ବରିଷ୍ଠ ତତ୍ତ୍ୱାବଧାରକ ଚିତ୍ତରଞ୍ଜନ ମହାପାତ୍ର, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ଏହି ଦଳରେ ସାମିଲ ଅଛନ୍ତି। ପରମ୍ପରା ଅନୁଯାୟୀ ନୟାଗଡ଼ ଡିଭିଜନ୍ରୁ ଶୁଖିଲା କାଠ ଏବଂ ଖୋର୍ଦ୍ଧା ଡିଭିଜନ୍ରୁ କଞ୍ଚା କାଠ ଯୋଗାଇ ଦିଆଯାଏ। ରଥକୋଡ଼୍ ଅନୁସାରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠ ଆବଶ୍ୟକ ରହିଛି।
ଏଥିସହିତ ଅତିରିକ୍ତ ୧୦୦ ଖଣ୍ଡ କଞ୍ଚା କାଠର ଆବଶ୍ୟକତା ରହିଛି।୨୦୨୫ ମସିହାରୁ ୪୭ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଛିତ ରହିଥିବାବେଳେ, ଆସନ୍ତା ରଥ ଯାତ୍ରା ପାଇଁ ଅବଶିଷ୍ଟ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି। ଏହା ମଧ୍ୟରୁ ୪୧୬ ଖଣ୍ଡ କାଠ ବଡ଼ଦାଣ୍ଡସ୍ଥିତ ରଥଖଳାକୁ ଆଣାଯିବ ଏବଂ ୪୦୨ ଖଣ୍ଡ କାଠ ଚିରଟ ପାଇଁ କରତ କଳକୁ ପଠାଯିବ। ଏହି କାଠରେ ଅସନ, ଧଉରା, ଫାସି ଓ ଶିମିଳି ପ୍ରଜାତିର କାଠ ସାମିଲ ରହିଛି।
ରଥର ଗୁରୁତ୍ୱପୂର୍ଣ୍ଣ ଅଂଶ ଯଥା ଚକ, ଦଣ୍ଡା, ଅଖ, ଗୟଳ, ଗରଗରା ଆଦି ରଥାଂଶ ନିର୍ମାଣ ପାଇଁ ଉପଯୁକ୍ତ ଓ ଗୁଣାତ୍ମକ କାଠ ପଠାଇବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ଜାନୁଆରୀ ୨୩ ତାରିଖ, ଶୁକ୍ରବାର ଶ୍ରୀପଞ୍ଚମୀ ତଥା ସରସ୍ୱତୀ ପୂଜା ଅବସରରେ ଶ୍ରୀଜିଉଙ୍କ ରଥ ଯାତ୍ରା ୨୦୨୬ ପାଇଁ ବଡ଼ଦାଣ୍ଡସ୍ଥିତ ମହାରଥଖଳାରେ ବିଧିବତ ରଥ କାଠ ଅନୁକୂଳ ପୂଜା ସମ୍ପନ୍ନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

