ନ୍ୟୁଜ ଡେକ୍ସ : ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁସାରେ ଗରିବ ଲୋକମାନଙ୍କୁ ‘ଆହାର’ କେନ୍ଦ୍ରରେ ମାତ୍ର ୫ ଟଙ୍କାରେ ପେଟପୂରା ଭାତ, ଡାଲ୍ମା ଓ ଆଚାର ମିଳିବା କଥା। କିନ୍ତୁ ସ୍ମାର୍ଟ ସିଟି ରାଉରକେଲାରେ ଏହାର ସରାସରି ଉଲ୍ଲଂଘନ ହେଉଥିବା ଅଭିଯୋଗ ଆସିଛି।ସହରର ବିଭିନ୍ନ ‘ଆହାର’ କେନ୍ଦ୍ରରେ ଦୁଇ ପ୍ରକାର ଥାଳି ଚଳିଛି — ଛୋଟଥାଳି ୫ ଟଙ୍କା ଓ ବଡ଼ଥାଳି ୧୦ ଟଙ୍କା।
ଗରିବ ହିତାଧିକାରୀମାନେ ପେଟପୂରା ଖାଇବାକୁ ଚାହିଲେ ବାଧ୍ୟ ହୋଇ ୧୦ ଟଙ୍କା ଦେବାକୁ ପଡୁଛି। ଏହାକୁ ନେଇ ଆହାର କେନ୍ଦ୍ର ଚଳାଉଥିବା ଏସ୍ଏଚ୍ଜି ମହିଳା ଓ ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ସମୟରେ ବିବାଦ ଦେଖାଦେଉଛି।ସେକ୍ଟର–୨ ସରକାରୀ ବସ୍ ଷ୍ଟାଣ୍ଡ, ସେକ୍ଟର–୧୯ ଅନ୍ତର୍ଗତ ଇସ୍ପାତ ଜେନେରାଲ ହସ୍ପିଟାଲ, ରାଉରକେଲା ସରକାରୀ ଡାକ୍ତରଖାନା, ପାୱାର ହାଉସ୍ ରୋଡ଼ ଓ ବେଦବ୍ୟାସ କେନ୍ଦ୍ରରେ ଦିନକୁ ମୋଟ ପ୍ରାୟ ୫,୨୦୦ ଗରିବଙ୍କୁ ଆହାର ଯୋଗାଇ ଦିଆଯାଉଛି। ସରକାର ପ୍ରତ୍ୟେକ ଭୋଜନର ମୂଲ୍ୟ ୨୭ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ୨୨ ଟଙ୍କା ସରକାର ଓ ୫ ଟଙ୍କା ହିତାଧିକାରୀ ଦେବା କଥା।
କିନ୍ତୁ ଏଠାରେ ଗରିବଙ୍କୁ ୧୦ ଟଙ୍କା ନେଇ ପୂରା ଭୋଜନ ଦିଆଯାଉଛି। ସେଥିପାଇଁ ଥାଳିର ଅଭାବ, କଳଙ୍କି ଲାଗିଥିବା ବାସନ, ୧୦୦ ଜଣ ପାଇଁ ଗୋଟିଏ ଗ୍ଲାସ୍ ପାଣି ଓ ଅସ୍ୱଚ୍ଛ ପରିବେଶ ଭଳି ଅନେକ ସମସ୍ୟା ମଧ୍ୟ ସାମ୍ନାକୁ ଆସିଛି।ଏନେଇ ଅଜିତ ପଟ୍ଟନାୟକ, ଡେପୁଟି କମିସନର, ରାଉରକେଲା ମହାନଗର ନିଗମ କହିଛନ୍ତି, “ଏପରି ଅଭିଯୋଗ ଗ୍ରହଣୀୟ ନୁହେଁ। ପ୍ରତ୍ୟେକ ଆହାର କେନ୍ଦ୍ରର ତଦନ୍ତ କରାଯିବ ଏବଂ ଯେଉଁମାନେ ନିୟମ ଭଙ୍ଗ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।”

