ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁର ସଂଖ୍ୟା ୪୭,୧୨୬ ରହିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଜାରି କରିଛି। ସେପ୍ଟେମ୍ବର ୧୮ରୁ ୨୫ ତାରିଖ ମଧ୍ୟରେ ଦୁଇ ପର୍ଯ୍ୟାୟରେ ସମସ୍ତ ୬୭ଟି ୱାର୍ଡରେ ପ୍ରଭାତି ୫ଟାରୁ ୭ଟା ମଧ୍ୟରେ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ବିଏମସି ମେୟର ସୁଲୋଚନା ଦାସ ଏହି ତଥ୍ୟ ସୂଚନା ଦେଇ କହିଛନ୍ତି ଯେ, ୪୭,୧୨୬ଟି ବୁଲା କୁକୁରଙ୍କ ମଧ୍ୟରୁ ୨୩,୪୭ଟି ଅଣ୍ଡିରା, ୧୫,୫୫୨ଟି ମାଇ କୁକୁର ଏବଂ ୧,୧୨୪ଟି ଛୁଆ ରହିଛନ୍ତି।
ସେମାନଙ୍କ ମଧ୍ୟରୁ ୪,୦୬୮ ଅଣ୍ଡିରା ଏବଂ ୩,୩୩୫ ମାଇ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି। ଭୁବନେଶ୍ବରର ସ୍ଥାୟୀ ଜନସଂଖ୍ୟା ପ୍ରାୟ ୧୩ ଲକ୍ଷ ରହିଛି। ଜନ ସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା ୩.୬୨ ପ୍ରତିଶତ ରହିଛି। ଅର୍ଥାତ୍ ପ୍ରତି ୱାର୍ଡରେ ବୁଲା କୁକୁରଙ୍କ ସଂଖ୍ୟା ହାରାହାରି ୭୦୩ ରହିଛି । ୨୩, ୭, ୪୯, ୬୫, ୪, ୯, ୫, ୫୬, ୪୩ ଓ ୬ ନମ୍ଵର ୱାର୍ଡରେ ସର୍ବାଧିକ ବୁଲା କୁକୁର ରହିଛନ୍ତି। ୨୩ ନମ୍ବର ୱାର୍ଡରେ ୧୭୦୩ କୁକୁର ଥିବା ବେଳେ ୬ ନମ୍ବର ୱାର୍ଡରେ ୧୦୬୨ ବୁଲା କୁକୁର ରହିଛନ୍ତି ।
ଭାରତ ସରକାରଙ୍କ ପଶୁ ସଂପଦ ଓ ଡାଏରୀ ବିଭାଗ ଦ୍ବାରା ଅନୁଷ୍ଠିତ ବିଂଶତମ ଜାତୀୟ ଓ ରାଜ୍ୟ ପଶୁ ଗଣନା ଅନୁଯାୟୀ, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜାତୀୟ ହାରଠାରୁ ବୁଲା କୁକୁର ସଂଖ୍ୟା ଅଧିକା ରହିଛି। ଜାତୀୟ ହାର ପ୍ରତି ଏକ ହଜାର ଜନସଂଖ୍ୟାରେ ୧୧ ଥିବା ବେଳେ ଭୁବନେଶ୍ୱରରେ ପ୍ରତି ହଜାରେ ଜନସଂଖ୍ୟାରେ ହାରାହାରି ୩୬ଟି ବୁଲା କୁକୁର ରହିଛନ୍ତି। ରାଜ୍ୟରେ ପ୍ରତି ହଜାରେ ଜନସଂଖ୍ୟାରେ ବୁଲା କୁକୁରଙ୍କ ହାରାହାରି ସଂଖ୍ୟା ୩୯ ରହିଛି।
