ନ୍ୟୁଜ ଡେକ୍ସ : ରାଜଧାନୀରେ ପୁନଃପୁନଃ ଥାର୍ ଗାଡ଼ି ଦୁର୍ଘଟଣା ଘଟି ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଥାର୍ ଦୁର୍ଘଟଣାରେ ୪ଟି ଜୀବନ ନଷ୍ଟ ହୋଇଛି।ଗତକାଲି କ୍ୟାପିଟାଲ୍ ହସ୍ପିଟାଲ୍ ଛକ ନିକଟରେ ଥାର୍ ଧକ୍କାରେ ଜଣେ ବୁଲେଟ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା।
ଏହା ପରେ ଆଜି ରାତିରେ ରାଜଧାନୀ ଉପକଣ୍ଠ ପିତାପଲ୍ଲୀ ନିକଟରେ ଥାର୍ ଟ୍ରେଲର୍କୁ ଧକ୍କା ଦେବାରୁ ଥାର୍ରେ ଥିବା ତିନିଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ସେହିପରି ଆଜି ଚନ୍ଦକା-ବାରଙ୍ଗ ରାସ୍ତାରେ ଏକ ଥାର୍ ଧକ୍କାରେ ୨ଟି ଗାଈ ପ୍ରାଣ ହରାଇଛନ୍ତି। ଏହି ଘଟଣାଗୁଡ଼ିକ ପରେ ରାଜଧାନୀରେ ଥାର୍ ଗାଡ଼ି ପ୍ରତି ଲୋକମାନଙ୍କ ମନରେ ଭୟ ବଢ଼ିଛି। ରାସ୍ତାରେ ଥାର୍ ଦେଖିଲେ ଲୋକମାନେ ଦୂରରୁ ବାଟ ବଦଳାଉଛନ୍ତି।ଆଜି ରାତି ପ୍ରାୟ ସାଢ଼େ ୮ଟା ସମୟରେ ୧୬ନମ୍ବର ଜାତୀୟ ରାଜପଥର ଗଙ୍ଗପଡ଼ା ପୁରୁଣା ଟୋଲ୍ଗେଟ୍ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଥାର୍ (ଓଡି୩୩ଏଭି୯୪୨୦) ଟ୍ରେଲର୍ (ଏନ୍ଏଲ୍ ୦୧ ଏଏଚ୍୦୬୭୬) ପଛକୁ ଧକ୍କା ଦେଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଥାର୍ରେ ୪ଜଣ ଯୁବକ ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିଲେ। ଗାଡ଼ି ଅତିକ୍ରମ କରିବାକୁ ଯାଇ ବେଗ ବଢ଼ାଇଥିବା ସମୟରେ ଆଗରେ ଥିବା ଟ୍ରେଲର୍ ଦେଖିପାରିନଥିଲେ ଚାଳକ। ଦ୍ରୁତଗତି ଯୋଗୁଁ ନିୟନ୍ତ୍ରଣ ହରାଇ ଥାର୍ ଟ୍ରେଲର୍ ପଛରେ ଘୁସିଯାଇଥିଲା। ଟ୍ରେଲର୍ ସହ ପ୍ରାୟ ୫୦ ମିଟର ଘୋଷାଡ଼ି ହୋଇଥିଲା।ଘଟଣା ପରେ ଅଗ୍ନିଶମ ବାହିନୀ କଟର୍ ମେସିନ୍ରେ ଥାର୍ କାଟି ମୃତାହତଙ୍କୁ ଉଦ୍ଧାର କରିଥିଲେ।
ମୃତକମାନେ ହେଲେ ମଦନପୁର କାଇମାଟିଆ ଜିନେଷ୍ଟ ଆପାର୍ଟମେଣ୍ଟରେ ରହୁଥିବା ହର୍ଷ, ପୁରୁଣା ଭୁବନେଶ୍ୱରର ସୁଡୁ ଓ କରନ୍। ଆଲେକ୍ସ ଗୁରୁତର ଅବସ୍ଥାରେ ଏମ୍ସ, ଭୁବନେଶ୍ୱରରେ ଚିକିତ୍ସାଧୀନ।ଇନ୍ଫୋଭ୍ୟାଲି ଥାନା ପୁଲିସ ଥାର୍ ଓ ଟ୍ରେଲର୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

