ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ରାଜଧାନୀର ପ୍ରଶାସନିକ ଢାଞ୍ଚାକୁ ଆଧୁନିକ କରିବା ପାଇଁ ଏକ ବୃହତ୍ ପୁନର୍ନିର୍ମାଣ ଯୋଜନା ନେଇଛନ୍ତି। ଏହି ଯୋଜନା ଅନୁଯାୟୀ ନୂଆ ଲୋକସେବା ଭବନ, ନୂଆ ବିଧାନସଭା ଏବଂ ବିପର୍ଯ୍ୟୟ ପରିଚାଳନା ଭବନ ସମେତ ତିନିଟି ୧୨ ମହଲା ବିଶିଷ୍ଟ କୋଠା (୩ ବେସମେଣ୍ଟ + ଗ୍ରାଉଣ୍ଡ + ୧୧) ନିର୍ମାଣ କରାଯିବ। ଏହା ସହ ନୂଆ ବିଧାନସଭା ପାଇଁ ଅଲଗା (ବେସମେଣ୍ଟ + ଗ୍ରାଉଣ୍ଡ + ୧) ଗଠନ ତିଆରି ହେବ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ଯେ, ପାୱାର୍ ହାଉସ୍ ଛକରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ରାଜୀବ ଭବନ ମଧ୍ୟରେ ଏହି ନୂଆ କୋଠାଗୁଡ଼ିକ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୯ ତାଲା, ରାଜୀବ ଭବନ, ସେଚ ସଦନ ସହ ଅନ୍ୟାନ୍ୟ ପୁରୁଣା କାର୍ଯ୍ୟାଳୟଗୁଡ଼ିକୁ ପର୍ଯ୍ୟାୟକ୍ରମେ ଭଙ୍ଗାଯିବ।ମନ୍ତ୍ରୀ କହିଛନ୍ତି ଯେ, ଏହି କୋଠାଗୁଡ଼ିକୁ ପୂର୍ବରୁ ବିପଦସଙ୍କୁଳ ଘୋଷଣା କରାଯାଇଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଏଗୁଡ଼ିକୁ ଭାଙ୍ଗି ଆଧୁନିକ ଓ ସୁସଜ୍ଜିତ ଭବନ ତିଆରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ବିଧାନସଭା ଭବନ ବର୍ତ୍ତମାନର ଲୋକସେବା ଭବନ ଓ ବିଧାନସଭା ମଧ୍ୟରେ ଥିବା ଖାଲି ସ୍ଥାନରେ ତିଆରି ହେବ। ଏଠାରେ ୩୦୦ ଜଣ ବିଧାୟକ ବସିପାରିବା ଭଳି ବ୍ୟବସ୍ଥା ରହିବ। ବର୍ତ୍ତମାନର ବିଧାନସଭା ଭବନକୁ ଭଙ୍ଗାଯିବ ନାହିଁ; ନୂଆ ଭବନ ତିଆରି ହେଲା ପରେ ଏହାକୁ ଏକ ମ୍ୟୁଜିୟମ୍ରେ ପରିଣତ କରାଯିବ।
ଭବିଷ୍ୟତରେ ବିଧାନ ପରିଷଦ ଗଠନ ହେଲେ, ଏହି ପୁରୁଣା ଭବନକୁ ସେହି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ।ପୂର୍ତ୍ତ ବିଭାଗ ସୂତ୍ର ଅନୁସାରେ, ବର୍ତ୍ତମାନ କେଉଁ କୋଠା କେତେ ଅଂଶ ଭଙ୍ଗାଯିବ, ସେନେଇ ତାଲିକା ପ୍ରସ୍ତୁତି ଚାଲିଛି। ଯଦିଓ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି, ତଥାପି ଏପର୍ଯ୍ୟନ୍ତ ପ୍ରଶାସନିକ ଅନୁମୋଦନ ମିଳିନି। ଡିଜାଇନ୍ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ ହୋଇଥିବା ବେଳେ, ଟେଣ୍ଡର୍ ପ୍ରକ୍ରିୟା ସରିଲେ ଭଙ୍ଗା ଓ ନିର୍ମାଣ କାମ ଆରମ୍ଭ ହେବ।ଏହି ପ୍ରକଳ୍ପ ହେଲେ ପାୱାର୍ ହାଉସ୍ ଛକରୁ ଲୋକସେବା ଭବନ ପଛପଟ ରାସ୍ତା ବନ୍ଦ ହେବା ସହ ସମଗ୍ର ଅଞ୍ଚଳର ଚିତ୍ର ପରିବର୍ତ୍ତିତ ହେବ। ରାଜଧାନୀର ପ୍ରଶାସନିକ କ୍ଷେତ୍ରକୁ ଆଧୁନିକ ଓ ସୁସଂଗଠିତ କରିବା ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।

