Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜଧାନୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏୟାର ପ୍ୟୁରିଫାୟର୍ (ବାୟୁ ଶୋଧକ ଯନ୍ତ୍ର) ଲଗାଇବାକୁ ଯୋଜନା କରିଛି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମ୍‌ସି)। ପ୍ରାଥମିକ ଭାବେ ଜୟଦେବ ବିହାର ଓ ଏଜି ଛକରେ ଏହି ଏୟାର ପ୍ୟୁରିଫାୟର୍ ସ୍ଥାପନ କରାଯିବ। ଏହି ସୂଚନା ରବିବାର ମେୟର ସୁଲୋଚନା ଦାସ ଦେଇଛନ୍ତି।ମେୟର କହିଛନ୍ତି ଯେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଏହି ବିଷୟରେ ଆଲୋଚନା ହୋଇଛି।

ଆଲୋଚନା ପରେ ଆବଶ୍ୟକ ମେସିନ କିଣାଯାଇ ଲଗାଯିବ। ଏହା ଦ୍ୱାରା ଭୁବନେଶ୍ୱରବାସୀ ବିଷାକ୍ତ ବାୟୁର କବଳରୁ ରକ୍ଷା ପାଇବେ। ଆଗାମୀ ଦିନରେ ସହରର ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ମଧ୍ୟ ଏହି ଏୟାର ପ୍ୟୁରିଫାୟର୍ ଲଗାଯିବାର ଯୋଜନା ରହିଛି।ସେ ଆହୁରି କହିଛନ୍ତି ଯେ, ସହରରେ ଯେଉଁ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟ ହେଉଛି, ସେଠାରେ ଧୁଳି ନିୟନ୍ତ୍ରଣ ପାଇଁ ପାଣି ସିଞ୍ଚନ କରାଯାଉଛି। କିନ୍ତୁ ଆସନ୍ତା ଦିନରେ ସହର ବାୟୁ ପ୍ରଦୂଷଣ ଏକ ଗମ୍ଭୀର ସମସ୍ୟା ରୂପେ ଆଗକୁ ଆସିବ ବୋଲି ସେ ଚେତାବନୀ ଦେଇଛନ୍ତି। ମେୟରଙ୍କ କହିବା ଅନୁଯାୟୀ, ଲୋକମାନେ ପ୍ରଥମେ ସଚେତନ ହେବା ଅତ୍ୟନ୍ତ ଆବଶ୍ୟକ।

ଏବେ ଘର ପିଛା ୪ରୁ ୫ଟି ଯାନବାହନ କିଣାଯାଉଥିବାରୁ ପ୍ରଦୂଷଣର ମାତ୍ରା ବଢ଼ୁଛି। ଏହାର ପ୍ରଭାବ ସିଧାସଳଖ ଭାବେ ସହରର ବାୟୁ ଗୁଣମାନ ଉପରେ ପଡ଼ୁଛି।ଏହି ମଧ୍ୟରେ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଭୟଙ୍କର ଆକାର ନେଉଛି। ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୦୦ ପାର କରିଛି। ଆଜି ପଟିଆ ଅଞ୍ଚଳର ଏକ୍ୟୁଆଇ ୨୨୨ ରହିଥିବାବେଳେ, ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏକ୍ୟୁଆଇ ୨୪୨ ରେକର୍ଡ ହୋଇଛି। ବଢ଼ୁଥିବା ପ୍ରଦୂଷଣକୁ ନେଇ ସହରବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

Leave a Reply

Your email address will not be published. Required fields are marked *