Thu. Feb 26th, 2026

ନ୍ୟୁଜ ଡେକ୍ସ : ରାଜଧାନୀରେ ଆଜି ବିଜୁ ଜନତା ଦଳ ଜୋରଦାର ଭାବେ ଗର୍ଜି ଉଠିଛି। ଟାଟା ପାୱାର ପକ୍ଷରୁ ଜାରି କରାଯାଇଥିବା ଅତିରିକ୍ତ ସୁରକ୍ଷା ଜମା (ସେକ୍ୟୁରିଟି ଡିପୋଜିଟ୍) ନୋଟିସ୍ ପ୍ରତ୍ୟାହାର ଦାବିରେ ବିଜେଡି ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଭୁବନେଶ୍ୱର ଟିପିସିଓଡିଏଲ (TPCODL) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସରକାରକୁ ସାଧାରଣ ଲୋକଙ୍କ ହିତରେ ଚିନ୍ତା କରିବାକୁ ଆହ୍ୱାନ ଦିଆଯାଇଛି।

ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ସଭାରେ ସରକାରକୁ କଠୋର ଚେତାବନୀ ଦିଆଯାଇଛି। ନେତାମାନେ କହିଛନ୍ତି ଯେ, ଟାଟା କମ୍ପାନୀ ତୁରନ୍ତ ସ୍ମାର୍ଟ ମିଟର ପ୍ରଣାଳୀ ପ୍ରତ୍ୟାହାର କରୁ ଏବଂ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ନ ଥୋପୁ।ପ୍ରତିବାଦ ସ୍ଥଳରେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ଦେବୀ ମିଶ୍ର, ପ୍ରୀତି ରଞ୍ଜନ ଘଡାଇ ଏବଂ ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ନେତାମାନେ ଅଭିଯୋଗ କରିଥିଲେ ଯେ, ସରକାରଙ୍କ ଇଙ୍ଗିତରେ ଟାଟା ପାୱାର ସାଧାରଣ ଲୋକଙ୍କଠାରୁ ଟଙ୍କା ଲୁଟୁଛି।

ବିଜେପି ସରକାର ଗଠନ ପୂର୍ବରୁ ୩ଶହ ୟୁନିଟ ବିଦ୍ୟୁତ ମାଗଣା ଦେବା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏବେ ସେହି ପ୍ରତିଶ୍ରୁତି ପୂରଣ ହୋଇନଥିବା ସହ ଲୋକମାନଙ୍କ ଉପରେ ଅତିରିକ୍ତ ଭାର ଥୋପାଯାଉଛି ବୋଲି ସେମାନେ କହିଥିଲେ।ବିଜେଡି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ‘ଜିଜିଆ କର’ ସହ ସମାନ। ଯଦି ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଇନାହିଁ, ତେବେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯିବା ସହ ପ୍ରତି ଗାଁରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *