Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରର ଆଧୁନିକ ଢାଞ୍ଚାକୁ ନୂଆ ଦିଗ ଦେବା ଦିଗରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ମୁଖ୍ୟମନ୍ତ୍ରୀ ଆଜି ନୂଆ ଲୋକସେବା ଭବନ ଓ ନୂଆ ବିଧାନସଭା ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ୭୧.୧୩ ଏକର ଜମିରେ ଗୋଟିଏ ସ୍ଥାନରେ ଉଭୟ ଭବନ ନିର୍ମାଣ କରାଯିବାକୁ ଯୋଜନା ରହିଛି, ଯାହା ପାଇଁ ୩ ହଜାର ୬୨୩ କୋଟି ଟଙ୍କା ବ୍ୟୟ ହେବ।ସରକାରୀ ସୂଚନା ଅନୁସାରେ, ଏହି ପ୍ରକଳ୍ପ ପାଇଁ ମାଷ୍ଟରପ୍ଲାନକୁ ଅନୁମୋଦନ ମିଳିସାରିଛି।

ନୂଆ ଲୋକସେବା ଭବନରେ ଭୂତଳ ପାର୍କିଂ ବ୍ୟବସ୍ଥା ରହିବ, ଯାହା ରାଜଧାନୀର ଯାତାୟାତ ସମସ୍ୟା କମାଇବାରେ ସହାୟକ ହେବ।ଏହା ସହିତ ମୁଖ୍ୟମନ୍ତ୍ରୀ ଆଜି ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ଏହି କରିଡ଼ର ଅନ୍ତର୍ଗତ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କୀଟ୍ ଛକରେ ଆଧୁନିକ ଫ୍ଲାଏଓଭର ନିର୍ମାଣ କରାଯିବ। ବିଶେଷ ଭାବେ ଜୟଦେବ ବିହାର ଛକରେ ୪ ଲେନ ବିଶିଷ୍ଟ କେବୁଲ-ଷ୍ଟେ ବ୍ରିଜ ନିର୍ମାଣ କରାଯିବାକୁ ଯୋଜନା ରହିଛି।

ପରିବେଶ ସନ୍ତୁଳନକୁ ଗୁରୁତ୍ୱ ଦେଇ ରାସ୍ତାର ଦୁଇ ପାର୍ଶ୍ୱରେ ୨୨ ହଜାର ୪୧୦ ଟି ଗଛ ଲଗାଯିବ।ଏହା ସହିତ ମୁଖ୍ୟମନ୍ତ୍ରୀ ଆଜି ୬ ହଜାର ୭୦୧ କୋଟି ଟଙ୍କା ମୂଲ୍ୟର ୭୧ଟି ବିକାଶ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ଏହି ସମସ୍ତ କାର୍ଯ୍ୟକ୍ରମ ରାଜ୍ୟର ଆର୍ଥିକ ବିକାଶ ସହିତ ଆଧୁନିକ ଓ ସୁବିଧାଜନକ ରାଜଧାନୀ ଗଢ଼ିବା ଦିଗରେ ଏକ ମାଇଲ୍‌ସ୍ଟୋନ୍‌ ରୂପେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *