ନ୍ୟୁଜ ଡେକ୍ସ: ରାଜଧାନୀ ଭୁବନେଶ୍ବରରୁ ହଟିବେ ସମସ୍ତ ଉଠା ଦୋକାନୀ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀକୁ ହଟାଯିବ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।
ଉଠା ଦୋକାନୀଙ୍କୁ ହଟାଯାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ । ସେଥିପାଇଁ ରାଜଧାନୀର ରୂପରେଖା ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ଆଜି ସକାଳେ ସିଆରପି ଛକରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ଥିବା ବିଭିନ୍ନ ଉଠା ଦୋକାନୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ମେୟର ସୁଲୋଚନା ଦାସ ।
ବିନା ରେଜିଷ୍ଟ୍ରେସନରେ ଦୋକାନୀ ମନ ଇଚ୍ଛା ବ୍ୟବସାୟ କରୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ମେୟର । ରାସ୍ତାକଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ୍ ଦିଆଯିବ । କେବଳ ରେଜିଷ୍ଟ୍ରେସନ୍ କରିଥିବା ଦୋକାନୀଙ୍କୁ ଏହି ସୁବିଧା ଦିଆଯିବ । ଏହା ବ୍ୟତୀତ ଦୋକାନ ଆଖପାଖ ସଫା ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମେୟର ।
