ନ୍ୟୁଜ ଡେକ୍ସ : ରାଜଧାନୀର ରାସ୍ତାରେ ‘ଆମ ବସ୍’ର ବେପରୁଆ ଚଳାଚଳ ଦିନକୁ ଦିନ ଭୟଙ୍କର ରୂପ ନେଉଛି। କେବେ ଅଟୋ ଉପରେ ଚଢ଼ିଯାଉଛି, କେବେ ବାଇକ୍ ଉପରେ ମାଡ଼ିଯାଉଛି ପ୍ରାୟ ପ୍ରତିଦିନ କୌଣସି ନ କୌଣସି ସ୍ଥାନରେ ‘ଆମ ବସ୍’ ଦୁର୍ଘଟଣା ଘଟୁଛି। ଏହାର ପରିଣାମରେ କେହି ଗୁରୁତର ଆହତ ହେଉଛନ୍ତି, ତ କେହି ଜୀବନ ହାରାଉଛନ୍ତି।
ରୁପାଲୀ ଛକରେ ଘଟିଥିବା ଦୁର୍ଘଟଣାର ଆଘାତ ଲୋକମାନଙ୍କ ମନରୁ ଏଯାଁ ମିଟିନଥିବାବେଳେ, ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୨ଟା ସମୟରେ ଅଶୋକନଗର ଅଞ୍ଚଳରେ ପୁଣି ଏକ ‘ଆମ ବସ୍’ ଦୁର୍ଘଟଣା ଘଟିଛି। ମାଷ୍ଟରକ୍ୟାଣ୍ଟି ପଟୁ ଦ୍ରୁତଗତିରେ ଆସୁଥିବା ଏକ ‘ଆମ ବସ୍’ ହଠାତ୍ ଭାରସାମ୍ୟ ହରାଇ ଜଣେ ବାଇକ୍ଚାଳକଙ୍କୁ ଧକ୍କା ଦେଇଥିଲା। ସୌଭାଗ୍ୟବଶତଃ ବାଇକ୍ଚାଳକ ଜଣଙ୍କ ଅଳ୍ପକେ ବଡ଼ ଅଘଟଣରୁ ବଞ୍ଚିଯାଇଥିଲେ। ସେ ବାଇକ୍ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବାବେଳେ, ‘ଆମ ବସ୍’ ବାଇକ୍ ଉପରେ ଚଢ଼ି କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।
ଦୁର୍ଘଟଣା ଦେଖି ଆଖପାଖରେ ଥିବା ଲୋକେ ଧାଇଁ ଆସି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇଥିଲେ ଓ ବସ୍କୁ ଅଟକାଇଥିଲେ।ଘଟଣାକୁ ନେଇ କ୍ଷଣକ ମଧ୍ୟରେ ଶହଶହ ଲୋକ ସେଠାରେ ଏକାଠି ହୋଇଯାଇଥିଲେ। ଉତ୍ତେଜିତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍କୁ ଭଙ୍ଗାରୁଜା କରିବା ସହ ଆସୁଥିବା ଅନ୍ୟ ‘ଆମ ବସ୍’ଗୁଡ଼ିକୁ ମଧ୍ୟ ଅଟକାଇ ଭାଙ୍ଗିଦେଇଥିଲେ। ଉଭୟ ପଟ ରାସ୍ତାକୁ ବନ୍ଦ କରାଯିବାରୁ ସେଠାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।ଏପରିକି ବସ୍ ଯାତ୍ରୀ ଓ ଉତ୍ତେଜିତ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ କେହି ଶୁଣିନଥିଲେ। ସ୍ଥିତି ଅଧିକ ବିଗଡ଼ିବାରୁ ଡିସିପି ଜଗମୋହନ ମୀନା ୨ ପ୍ଲାଟୁନ୍ ଫୋର୍ସ ସହ ସେଠାରେ ପହଞ୍ଚିଥିଲେ। ପ୍ରାୟ ଦେଢ଼ ଘଣ୍ଟା କସରତ ପରେ ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରି ଥାନାକୁ ନେଇଯିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।ଏହି ଘଟଣା ପୁଣିଥରେ ‘ଆମ ବସ୍’ର ଅସାବଧାନ ଓ ବେପରୁଆ ଚଳାଚଳକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।

