Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅରବିନ୍ଦ କୁମାର ପାଢ଼ୀ ସମଗ୍ର ବିଭାଗ ପାଇଁ ଏକ ନୂଆ ଦିଗଦର୍ଶନ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟାଳୟରୁ ଆରମ୍ଭ କରି ଜିଲ୍ଲା ଓ ତହସିଲ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଲେଖାଯାଇଥିବା ଏକ ମାର୍ଗଦର୍ଶୀ ପତ୍ରରେ ସେ ସ୍ପଷ୍ଟ କରିଛନ୍ତି ଯେ ରାଜସ୍ୱ ପ୍ରଶାସନକୁ ସୁଦୃଢ଼, ସଚ୍ଚୋଟ ଓ ଲୋକାଭିମୁଖୀ କରିବା ହେଉଛି ସର୍ବାଧିକ ପ୍ରାଥମିକତା।

ଡଃ ପାଢ଼ୀ ସଚ୍ଚୋଟତା (Integrity), ବୃତ୍ତିଗତ ନିଷ୍ଠା (Professionalism) ଓ ସମ୍ବେଦନଶୀଳତା (Sensitivity)କୁ ରାଜସ୍ୱ ପ୍ରଶାସନର ମୂଳ ଭିତ୍ତି ବୋଲି ଉଲ୍ଲେଖ କରି, ତ୍ୱରିତ ଓ ପାରଦର୍ଶୀ କାର୍ଯ୍ୟ ପ୍ରଣାଳୀ ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ବାସ ବଢ଼ାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ, ଉତ୍ତମ ଶାସନ ପାଇଁ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର, ଲୋକସେବାରେ ଶିଷ୍ଟାଚାର ଓ ଶୃଙ୍ଖଳାର କଠୋର ପାଳନକୁ ସେ ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି।ଦୁର୍ନୀତି ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତିକୁ ଦୋହରାଇ ସେ କହିଛନ୍ତି ଯେ ସରକାରୀ ଜମି, ବିଶେଷକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ସହ ସମସ୍ତ ସରକାରୀ ସମ୍ପତ୍ତିର ସୁରକ୍ଷା ରାଜସ୍ୱ ପ୍ରଶାସନର ପ୍ରାଥମିକ ଦାୟିତ୍ୱ। ଏହାସହ ସରକାରୀ କାର୍ଯ୍ୟକଳାପରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ସମ୍ମାନ ଜଣାଇ, ସପ୍ତାହର ଗୋଟିଏ ଦିନ ଶୁକ୍ରବାର ହସ୍ତତନ୍ତ ପୋଷାକ ପିନ୍ଧିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେ ଉତ୍ସାହିତ କରିଛନ୍ତି।

ସଚ୍ଚୋଟ ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନ ଓ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିବା ବେଳେ, ଦୁର୍ନୀତି, ଏହାର ପୃଷ୍ଠପୋଷକ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।କ୍ଷେତ୍ର ପରିଦର୍ଶନ, ହଠାତ୍ ଯାଞ୍ଚ ଓ ଅଧିକାରୀ-ଜନସାଧାରଣଙ୍କ ସହ ସିଧାସଳଖ ସଂଳାପ ମାଧ୍ୟମରେ ବାସ୍ତବ ସ୍ଥିତି ମୂଲ୍ୟାଙ୍କନ କରି ରାଜସ୍ୱ ପ୍ରଶାସନକୁ ଅଧିକ ପାରଦର୍ଶୀ ଓ କାର୍ଯ୍ୟକ୍ଷମ କରିବାକୁ ଡଃ ପାଢ଼ୀଙ୍କ ଏହି ପଦକ୍ଷେପକୁ ଏକ ଦୃଢ଼ ଓ ଦୂରଦର୍ଶୀ ପ୍ରୟାସ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *