ନ୍ୟୁଜ ଡେକ୍ସ : ରାଜ୍ୟରେ ପୁଣିଥରେ ହାଡ଼ଭଙ୍ଗା ଶୀତର ପ୍ରଭାବ ବଢ଼ିବାକୁ ଯାଉଛି। ପାଣିପାଗ ବିଶେଷଜ୍ଞଙ୍କ ମତାନୁସାରେ, ୧୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ତୀବ୍ର ଶୀତ ଅନୁଭୂତ ହେବ। ଉତ୍ତର ଓ ଉତ୍ତର–ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହ ବଢ଼ିଥିବାରୁ ରାତି ତାପମାତ୍ରା ଅଧିକ କମିବାର ସମ୍ଭାବନା ରହିଛି।ଗୁରୁବାର ରାଉରକେଲା ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିଅସ୍ ରହିପାରେ ବୋଲି ଆକଳନ କରାଯାଇଛି।
ଫୁଲବାଣୀରେ ୬ ଡିଗ୍ରୀ, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ପାଖାପାଖି ତାପମାତ୍ରା ରହିବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିପାରେ।ଶୁକ୍ରବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଏହି ମଧ୍ୟରେ ଜଳୀୟବାଷ୍ପର ପରିମାଣ କମିଥିବାରୁ ଶୀତର ପ୍ରଭାବ ଆହୁରି ତୀବ୍ର ହେବ।
ତେବେ ୧୮ ତାରିଖରୁ ପଶ୍ଚିମା ଝଡ଼ର ପ୍ରଭାବରେ ପାଗ ମେଘୁଆ ରହିବା ସହ ଧୀରେଧୀରେ ତାପମାତ୍ରା ବଢ଼ିବ ଏବଂ ଶୀତର ପ୍ରକୋପ କମିବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ସମୟରେ ଜି.ଉଦୟଗିରିରେ ରାତି ତାପମାତ୍ରା ୪ ଡିଗ୍ରୀ ତଳକୁ ଖସି ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ଭାବେ ରେକର୍ଡ ହୋଇଛି।

