ନ୍ୟୁଜ ଡେକ୍ସ : ରାଜ୍ୟରେ ଏବେ ବି ଶୀତ ଲହରୀର ପ୍ରକୋପ ଅବିରତ ଜାରି ରହିଛି। ଦିନକୁ ଦିନ ରାତ୍ରି ତାପମାତ୍ରା ଅଧିକ କମିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି। ରବିବାର ରାତିରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଥିବାବେଳେ ଏହା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ଉଭା ହୋଇଛି।
ପାହାଡ଼ିଆ ଓ ଉପକୂଳ ଅଞ୍ଚଳ ସମେତ ଅଧିକାଂଶ ଜିଲ୍ଲାରେ କୁହୁଡି ଓ ଶୀତ ପ୍ରଭାବ ଦେଖାଯାଉଛି।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ସୋମବାର ଓ ବୁଧବାର ରାତିରୁ ଉତ୍ତର–ପଶ୍ଚିମ ଭାରତକୁ ଅତି କମ୍ ଅନ୍ତରାଳରେ ଦୁଇଟି ପଶ୍ଚିମାଝଡ଼ ପ୍ରଭାବିତ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ମଧ୍ୟରେ ଦିନ ଓ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତଥାପି, ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ସକାଳ ଓ ରାତି ସମୟରେ ଥଣ୍ଡା ଅନୁଭୂତି ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ପ୍ରବଳ ଥଣ୍ଡାକୁ ନେଇ ସୋମବାର ଅନୁଗୋଳ ଓ ଝାରସୁଗୁଡା ଜିଲ୍ଲା ପାଇଁ ‘ୟେଲୋ ଓ୍ୱାର୍ଣ୍ଣିଂ’ ଜାରି କରାଯାଇଛି। ସେହିପରି କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପାଇଁ ସତର୍କ ସୂଚନା ଦିଆଯାଇଛି।
ମଙ୍ଗଳବାର ଓ ବୁଧବାର ଦୁଇ ଦିନ ପର୍ଯ୍ୟନ୍ତ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କୁହୁଡି ରହିବା ସମ୍ଭାବନା ରହିଛି।ବିଭାଗୀୟ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ୧୪ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି.ଉଦୟଗିରି ପରେ ସିମିଳିଗୁଡା, ଫୁଲବାଣୀ, ରାଉରକେଲା, ଝାରସୁଗୁଡା, ବଲାଙ୍ଗୀର, ଅନୁଗୋଳ, ଭବାନୀପାଟଣା, ସୁନ୍ଦରଗଡ଼ ଓ କୋରାପୁଟ ଭଳି ଅଞ୍ଚଳରେ ମଧ୍ୟ କାପୁଣି ଧରାଇଦେବା ପରି ଥଣ୍ଡା ଅନୁଭୂତ ହୋଇଛି।ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆବଶ୍ୟକ ଛଡ଼ା ରାତି ଓ ସକାଳ ସମୟରେ ବାହାରକୁ ନ ଯିବା, ଉଷ୍ଣ ପୋଷାକ ପିନ୍ଧିବା ଓ ଶିଶୁ, ବୃଦ୍ଧ ଏବଂ ଅସୁସ୍ଥଙ୍କ ପ୍ରତି ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

