Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟକୁ ପୁଣି ଫେରିଛି କଡା ଶୀତ। ଅସହ୍ୟ ଥଣ୍ଡାରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପଶ୍ଚିମା ଝଡ଼ର ପ୍ରଭାବରେ ଓ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ କାରଣରୁ ରାଜ୍ୟରେ ଶୀତଲହରୀ ପରିସ୍ଥିତି ତୀବ୍ର ହୋଇଛି। ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ଏହି ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସକାଳ ୫ଟା ୩୦ ମିନିଟ୍ ସମୟରେ ୧୦ ଡିଗ୍ରୀ ସେଲସିୟସ ରେକର୍ଡ ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ଏକ ଡିଗ୍ରୀକୁ ଖସିଯାଇଥିବାବେଳେ, ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ୧ ଡିଗ୍ରୀ ଏବଂ ଗୁଡ଼ଗୁଡ଼ିଆରେ ୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାରପାତ ଘଟିଥିବା ଖବର ମିଳିଛି।ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ କେନ୍ଦୁଝରରେ ୧୧ ଡିଗ୍ରୀ, ଚାନ୍ଦବାଲିରେ ୧୩.୮, ଭୁବନେଶ୍ୱରରେ ୧୪ ଏବଂ ବାଲେଶ୍ୱରରେ ୧୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ରାଉରକେଲାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୭ ଡିଗ୍ରୀ ସେଲସିୟସ ରହିଛି। ଶୀତଲହରୀ ପରିସ୍ଥିତିକୁ ନଜରରେ ରଖି ଆଗାମୀ ଦୁଇ ଦିନ ପାଇଁ ଝାରସୁଗୁଡ଼ା, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାତ୍ରି ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ, ତଥାପି ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ଖସିବାର ସମ୍ଭାବନା ରହିଛି।ଶୀତର ଏହି ତୀବ୍ର ପ୍ରଭାବ ଦୃଷ୍ଟିରେ ସାଧାରଣ ଲୋକଙ୍କୁ ସକାଳ ଓ ରାତି ସମୟରେ ସତର୍କ ରହିବା, ଆବଶ୍ୟକ ହେଲେ ଗରମ ପୋଷାକ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *