ନ୍ୟୁଜ ଡେକ୍ସ : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ହୋଇ ରହିଛି । ୨୪ ଘଣ୍ଟାରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ୩ ତାରିଖରେ ପୁଣି ଗୋଟିଏ ଲଘୁଚାପ ସୃଷ୍ଟି ହେବ। ଏହା ବିଶେଷ ବଳୁଆ ହେବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆହୁରି ତିନି ଦିନ ବର୍ଷିବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ସେହିପରି ଆସନ୍ତାକାଲି ରାଜ୍ୟର କିଛି କିଛି ଅଂଚଳରେ ବର୍ଷା ହେବ ସହ ସୋନପୁର ସମ୍ବଲପୁର ଝାରସୁଗୁଡା ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଲଘୁଚାପ ପ୍ରଭାବରେ ୩୦ ତାରିଖ ଯାଏ ବର୍ଷା ହେବାର ସମ୍ଭାବନ ଥିବା ବେଳେ ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେପଟେ ମେଘୁଆ ପାଗରେ ଓ ପବନର ବେଗ ନେଇ ସମୁଦ୍ର ଅଶାନ୍ତ ରହିବ । ଫଳରେ ଆହୁରି ୨୪ ଘଣ୍ଟା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏପଟେ ଗତ ୨୪ ଘଂଟାରେ ୫ ସ୍ଥାନରେ ପ୍ରବଳ ଓ ୭ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ କୋରାପୁଟ ଜୟପୁରରେ ସର୍ବାଧିକ ୧୮୬ ମିମି ବର୍ଷା ରେକର୍ଡ କରାଯାଇଛି ।
